ରେଢ଼ାଖୋଲ: ଭାରୀଯାନ ସହିତ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ସାମ୍ନା କରିଥିବା ବାଇକ୍ ଆରୋହୀ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ପୋଡ଼ାବଲଣ୍ଡା ରେଲୱେ ଓଭରବ୍ରିଜ୍ ନିକଟରେ ବୁଧବାର ପୂର୍ବାହ୍ଣରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ମିର୍ଦ୍ଧା ଓ ଗୁରୁତର ଡଲି ମିର୍ଦ୍ଧାଙ୍କ ଚିକିତ୍ସା ଜାରି ରହିଛି।
ପୁଲିସ କହିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ ଚୁଡ଼ାପୁଡୁଗ ଗାଁର ଲକ୍ଷ୍ମୀଧର ମିର୍ଦ୍ଧା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଙ୍ଗପଡ଼ାରେ ବିବାହ କରିଥିଲେ। ତାଙ୍କର ଶଳା ଭାଉଜ ଡଲି ମିର୍ଦ୍ଧା କିଛିଦିନ ପୂର୍ବରୁ କୁଣିଆ ଆସିଥିଲେ। ଡଲିଙ୍କୁ ଆଜି ଲକ୍ଷ୍ମୀଧର ଅଙ୍ଗପଡ଼ାରେ ଛାଡ଼ିଦେବା ପାଇଁ ବାହାରିଥିଲେ। ଏଥି ପାଇଁ ଉଭୟ ଆଜି ଏକ ବାଇକ (ଓଡି ୨୭ ଏ ୦୮୧୯)ରେ ଅଙ୍ଗପଡ଼ା ଅଭିମୁଖେ ବାହାରିଥିବା ବେଳେ ପୂର୍ବାହ୍ ପ୍ରାୟ ସାଢ଼େ ୧୧ଟାରେ ୫୫ନମ୍ବର ଜାତୀୟ ରାଜପଥ ଠାରୁ ଅଳ୍ପ ଦୂରରେ ଅର୍ଥାତ ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ରେଳୱେ ଓବରବ୍ରିଜ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଲକ୍ଷ୍ମୀଧର ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଏକ ନଳକୂପ ଖୋଳୁଥିବା ଗାଡ଼ି (ଟିଏନ୍ ୩୪ୟୁ ୫୧୭୩)କୁ ଧକ୍କା ଦେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।