ଫୋକସ ପ୍ଲସ (ଚୌଦ୍ୱାର)୩୦/୦୬/୨୦୨୨: ଚୌଦ୍ୱାରରୁ ମଣ୍ଡାପଡା ଯାଇଥିବା ବିରୂପା ନଦୀକୂଳ ରାସ୍ତା ପାଲଟିଛି ମରଣଜନ୍ତା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ସୁନ । ନଦୀବନ୍ଧ ରାସ୍ତା ସଂକୋଚିତ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତ କିଛି ଦିନ ତଳେ ଦୁଇ ସାଇକେଲ ଆରୋହୀଙ୍କୁ ବଂଚାଇବାକୁ ଯାଇ ସ୍କୁଲ ବସଟି ରାସ୍ତା ପାର୍ଶ୍ଵକୁ ଓଲଟି ଯାଇଥିଲା ।ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲେ ବସରେ ଥିବା ଆଠ ଜଣ ଛାତ୍ରଛାତ୍ରୀ ।ଏତେ ବଡ଼ ଘଟଣା ପରେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି ।ଯାହାକୁ ନେଇ ଏହି ରାସ୍ତାକୁ ସମ୍ପ୍ରସାରଣ ସହ ଉନ୍ନତମାନର କାମ କରିବା ପାଇଁ ଚୌଦ୍ୱାର ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଗୁରୁବାର ଜଗତପୁର ସ୍ଥିତ ମହାନଦୀ ଜଳସେଚନ ନର୍ଥ ଡିଭିଜନ ସୁପେରିଟେଣ୍ଡେଣ୍ଟ ଇଞ୍ଜିନିଅରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ସଭାନେତ୍ରୀ ମୋନାଲିସା ଦାସ, ସାଧାରଣ ସମ୍ପାଦକ ହରିହର ପରିଡା,ପିସିସି ସଦସ୍ୟ ରାଜିବ ମହାନ୍ତି, ପନ୍ଦର ନମ୍ବର କାଉନସିଲର ଦିଲ୍ଲୀପ ଭୂୟାଁ,ଅଜୟ ଦାସ,ସୁବାସ ସୁବୁଦ୍ଧିରାୟ,ଶ୍ରୀମନ୍ତ ବେହେରା,ସରୋଜ ମଲିକ,ସଂଗୀତା ସ୍ୱାଇଁ, ସ୍ୱରୂପ କୁମାର ଦାସ,ସୁବାସ ଦଳେଇ ପ୍ରମୁଖ ସାମିଲ ଥିଲେ ।ରାସ୍ତା କାମ ପାଞ୍ଚ ଦିନ ମଧ୍ୟରେ ନ ହେଲେ ନଗର କଂଗ୍ରେସ ପକ୍ଷରୁ ଜଳସେଚନ କାର୍ଯ୍ୟାଳୟ ସମୁଖରେ ଧାରଣା ଦିଆଯିବ ବୋଲି ନଗର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
