ରାଜଧାନୀରେ ଦିନ କୁ ଦିନ ବଢି ଚାଲିଛି ଗଣଦୁଷ୍କର୍ମ |

ଫୋକସ ପ୍ଲସ୧୮/୧/୨୩(ଭୁବନେଶ୍ବର): ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଗଣ ଦୁଷ୍କର୍ମ। ରାଜଧାନୀ ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ହାତଗୋଡ ବାନ୍ଧି ସାରା ରାତି ଗଣଦୁଷ୍କର୍ମ କରାଯାଇଛି। ଗୋଟିଏ ପଟେ ରାଜଧାନୀ ଭୁବନେଶ୍ବରରେ ହକି ମହାକୁମ୍ଭ ଚାଲିଥିବା ବେଳେ ଅନ୍ୟପଟେ ଘଟିଛି ଏଭଳି ଲୋମହର୍ଷକ ଘଟଣା। ସାଂଘାତିକ କଥା ହେଲା, ଗଣଦୁଷ୍କର୍ମ ପରେ ପରିବାରକୁ ଅର୍ଥଲୋଭ ଦେଖାଇ ମାମଲା ରଫାଦଫା କରିବାକୁ ଉଦ୍ୟମ ହୋଇଛି ବୋଲି ଚାଇଲଡ଼ ଲାଇନ ନିର୍ଦ୍ଦେଶକ କହିଛନ୍ତି।ତେବେ ପଟିଆ ରେଳଷ୍ଟେସନ ନିକଟରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଇନଫୋସିଟି ପୋଲିସ ଓ ଚାଇଲ୍ଡ ଲାଇନ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।ଜଣେ ନାବାଳିକାଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡିଛି। ଉଦ୍ଧାର ପରେ ପୋଲିସ ଆଗରେ ଅପହରଣ ଓ ଦୁଷ୍କର୍ମର କାହାଣୀ ବଖାଣିଛନ୍ତି ଦୁଇ ନାବାଳିକା । ଅପହରଣ ପରେ ଉଭୟଙ୍କ ହାତ ଗୋଡ଼ ବାନ୍ଧି ରେଳ ଓଭର ବ୍ରିଜ ତଳେ ଗଣଦୁଷ୍କର୍ମ କରାଯାଇଥିବା କହିଛନ୍ତି ଦୁଇ ନାବାଳିକା। ଅଭିଯୁକ୍ତମାନେ ସେହି ଅଞ୍ଚଳର ହୋଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।ଗଣଦୁଷ୍କର୍ମ ସମ୍ପର୍କରେ କାହାରିକୁ କହିଲେ ହତ୍ୟା ଧମକ ଦେଇଛନ୍ତି ଅଭିଯୁକ୍ତ।ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା କଥା କହୁଥିବା ବେଳେ ରାଜଧାନୀ ଛାତି ଉପରେ ଏଭଳି ଜଘନ୍ୟକାଣ୍ଡ ରାଜ୍ୟରେ ମହିଳା ସୁରକ୍ଷାର ପୋଲ୍ ଖୋଲିଛି । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୨୮ ହଜାର ୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି ।ତା ମଧ୍ୟରୁ ୧୪ ହଜାର ୨୯୧ ଜଣ ନାବାଳିକା ଅଛନ୍ତି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କହୁଛି ଓଡ଼ିଶାରେ ମହିଳା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ମାତ୍ର ୮.୩ ପ୍ରତିଶତ । ସେହିପରି ରିପୋର୍ଟ ଅନୁସାରେ ମହିଳାଙ୍କ ଉପରେ ଆକ୍ରମଣରେ ଦେଶରେ ଏକନମ୍ବର ସ୍ଥାନରେ ରହିଛି ଓଡ଼ିଶା। ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି ।ଏବେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *