ଅବକାରୀ ଅଧୀକ୍ଷକ ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ୧୯ଟି ଠିପି ବନ୍ଦ, ୧୨ଟି ଠିପି ଖୋଲା ଓ ୬ଟି ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ରହିଛି । ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ଜୁନ୍ ୨୬ ତାରିଖ ଅପରାହ୍ନ ୪ଟାରୁ ୨୭ ତାରିଖ ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । ସେହିଭଳି ବାହୁଡ଼ାଯାତ୍ରା ପୂର୍ବଦିନ ଜୁଲାଇ ୪ ତାରିଖ ଅପରାହ୍ନ ୪ଟାରୁ ୫ ତାରିଖ ବାହୁଡା ଯାତ୍ରା ଓ ୬ ତାରିଖ ସୁନାବେଶ ଦିନ ଏହି ସମସ୍ତ ଦୋକାନ ଓ ବାର୍ ବନ୍ଦ ରହିବ । ଶ୍ରୀକ୍ଷେତ୍ର ସମେତ ସହର ନିକଟବର୍ତ୍ତୀ ଚନ୍ଦନପୁର, ଜାନକାଦେଇପୁର ଓ ବଳିଆପଣ୍ଡା ରୟାଲ ପ୍ୟାଲେସ ରେଷ୍ଟୁରାଣ୍ଟ ଏବଂ ତୋଷାଳିସ୍ୟାଣ୍ଡ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । ପ୍ରଶାସନର କଟକଣା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍ କରି ଚୋରା ନିଶା ବେପାରୀ ଅଗ୍ରୀମ ମଦ କିଣି ଏବେଠାରୁ ଠୁଳ କରିବା ଆରମ୍ଭ କରି ଦେଲେଣି । ବିଶେଷ ଭାବେ ସହରର ପେଣ୍ଠକଟା, ଅଠରନଳା, ସ୍ୱର୍ଗଦ୍ୱାର, ତାଳବଣିଆ ଓ ବଡ଼ଦାଣ୍ଡ ନିକଟ କିଛି ଗଳିକନ୍ଦିରେ ବିଦେଶୀ ମଦ କାରବାର ଜାରି ରହିଛି । ନିକଟରେ ରହିଥିବା ସରକାରୀ ମଦ ଦୋକାନ ଅତିରିକ୍ତ କୋଟା ଉଠାଇ ଏସବୁକୁ ବିପୁଳ ପରିମାଣରେ ଚୋରା ବେପାରୀଙ୍କୁ ବେଆଇନ୍ ଭାବେ ଯୋଗାଇ ଦେଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।
ରଥ ଯାତ୍ରା ଆଉ ୩ ଦିନ,ଶ୍ରୀକ୍ଷେତ୍ରର ନିଶା କାରବାରକୁ ନିୟନ୍ତ୍ରଣ କରିବା ଲାଗି ଏବେଠୁ ସତର୍କ ହେଲାଣି ଅବକାରୀ ବିଭାଗ
