ଯୁବ ପୀଢ଼ିଙ୍କୁ ଚିନ୍ତାରେ ପକାଇଛି ଡେଟିଂଆପ ||

ଫୋକସ ପ୍ଲସ 10/1/2023( ବ୍ୟୁରୋ): ଆଜିର ସୋସିଆଲ ମିଡ଼ିଆ ଯୁଗରେ ଅନେକ କିଛି ପରିବର୍ତ୍ତନ ହେଉଥିବାର ଦେଖିବାକୁ ମିଳୁଛି |ବର୍ତ୍ତମାନ ସମୟରେ ଯୁବକ ଯୁବତୀ ମାନେ ସୋସିଆଲ ମିଡିଆରେ ଭାବ ବିନିମୟ କରିବାକୁ ଅଧିକ ପସନ୍ଦ କରୁଛନ୍ତି |ତେବେ ସୋସିଆଲ ମିଡ଼ିଆ ମଧ୍ୟରେ ଅନେକ ଡେଟିଂ ଆପ ପ୍ରଚଳିତ ଥିବା ବେଳେ ଯୁବକ ଯୁବତୀ ଏହି ଆପ ମାଧ୍ୟମରେ ନିଜର ସମ୍ପର୍କକୁ ଆଗକୁ ବଢାଉଛନ୍ତି |ଏ ପ୍ରକାର ଏକ ଡେଟିଂ ଆପ ବୁମ୍ବଲେପକ୍ଷରୁ କରାଯାଇଥିବା ଏକ ଷ୍ଟଡି ରିପୋର୍ଟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି |ଗବେଷଣା ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟ 81 ପ୍ରତିଶତ ଭାରତୀୟ ମହିଳା ଏବଂ ଯୁବତୀମାନେ ବିବାହ କରିବାକୁ ଇଛା ପ୍ରକାଶ କରୁନାହାନ୍ତି |ସେମାନେ ଏକ ଲମ୍ବା ତଥା ଦୀର୍ଘ ସମ୍ପର୍କ ଅପେକ୍ଷା ଜୀବନରେ ଏକାକୀ ରହିବାକୁ ଅଧିକ ପସନ୍ଦ କରୁଛନ୍ତି |ବିବାହ ପରବର୍ତୀ ସାମାଜିକ ଦାୟିତ୍ୱ ତଥା କର୍ତ୍ତବ୍ୟବୋଧକୁ ଏହି ମହିଳାମାନେ ଏକ ଚାପ ଭାବେ ବିବେଚନା କରୁଛନ୍ତି |ଏହା ବ୍ୟତୀତ ବିବାହ ପରେ ସେମାନେ ନିଜ ସ୍ୱାଧୀନତା ହରାଇବା ,ଅନ୍ୟ ଉପରେ ନିର୍ଭର ହେବା ,ଚିନ୍ତା ଗ୍ରସ୍ତ ହେବା ଭଳି ଆଶଙ୍କାକୁ ନେଇ ମାତ୍ରାଧିକ ଭୟଭୀତ ଥିବା ଦର୍ଶାଇଛନ୍ତି |ବିବାହ ପରେ ସ୍ୱାମୀ ,ଶାଶୁ ,ଶ୍ୱଶୁର ଏବଂ ପିଲା ମାନଙ୍କ ପ୍ରତି ସେମାନଙ୍କୁ ଧ୍ୟାନ କେନ୍ଦିଭୂତ କରିବାକୁ ହେବ ଯାହାଦ୍ୱାରା ସେମାନେ ନିଜକୁ ହରାଇବେ ବୋଲି ଭାବୁଥିବା କହୁଛନ୍ତି |ଗବେଷଣା କାଳରେ ପୁରୁଷ ବନ୍ଧୁଙ୍କ ସହ ଡେଟିଂ କରୁଥିବା ମହିଳାଙ୍କ ମଧ୍ୟରେ ପ୍ରତି 5 ଜଣରେ 2 ଜଣ ଅର୍ଥାତ 39 ପ୍ରତିଶତ ମହିଳା ବିବାହକୁ ଏକ ଦୀର୍ଘ ବନ୍ଦୀ ଜୀବନ ଅତିବାହିତ କରିବାକୁ ବାଧ୍ୟବାଧକତା ବୋଲି ମାନୁଛନ୍ତି| ସେହିପରି ଅନେକ ମହିଳା ତଥା ଯୁବତୀ କେବଳ ପରିବାର ଲୋକଙ୍କ ଚାପରେ ବିବାହ କରିବାକୁ ରାଜି ହେଉଛନ୍ତି ,ନଚେତ ସେମାନେ ବିବାହ ପାଇଁ ଆଦୌ ଇଛୁକ ନୁହନ୍ତି ବୋଲି ମତବ୍ୟକ୍ତ କରିଛନ୍ତି |ମୋଟାମୋଟି 81 ପ୍ରତିଶତ ମହିଳା ବିବାହ କରିବା ଅପେକ୍ଷା ଅବିବାହିତ ରହିବାକୁ ଅଧିକ ସହଜ ତଥା ସ୍ୱାଧୀନତା ବୋଲି ବର୍ଣ୍ଣନା କରିଛନ୍ତି |ସେହିପରି 60 ପ୍ରତିଶତ ମହିଳାଙ୍କ ମତ ସେମାନେ ଯେ ପର୍ଯ୍ୟନ୍ତ ନିଜ ପସନ୍ଦ ତଥା ବିଚାରଧାରା ସହ ମେଳ ଖାଉଥିବା ପୁରୁଷ ବନ୍ଧୁଙ୍କୁ ପାଇନାହାନ୍ତି ,ସେମାନେ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି |ଆଜିର ଯୁଗରେ ଏମିତି ଅନେକ ଯୁବକ ଯୁବତୀ ନିଜ ମନ ପସନ୍ଦର ଜୀବନ ସାଥି ନ ପାଇ ଅଧିକ ଚିନ୍ତାଗ୍ରସ୍ତ ହୋଈ ମାନସିକ ଭାରସାମ୍ୟ ମଧ୍ୟ ହରାଉଛନ୍ତି ଏବଂ ଅନେକ ସମୟରେ ଯୁବପିଢ଼ି ହତ୍ୟା ଏବଂ ଆତ୍ମହତ୍ୟା କରୁଥିବାର ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି |

Leave a Reply

Your email address will not be published. Required fields are marked *