ମୃତ୍ୟୁ ପୂର୍ବରୁ ପ୍ରସ୍ତୁତି, କବର ତିଆରି କରି ଚର୍ଚ୍ଚାରେ ଦମ୍ପତି

ଫୋକସ ପ୍ଲସ 24/2/23(ଗଜପତି):ଏ ସଂସାରରେ ଜନ୍ମ ହେଇଛେ ମାନେ ମୃତ୍ୟୁ ସୁନିଶ୍ଚିତ। ହେଲେ କେହି କେବେ ମୃତ୍ୟୁକୁ ଅପେକ୍ଷା କରି କବର ଖୋଳିବା ଆଜିଯାଏଁ କେବେ ଦେଖିନଥିବେ କି ଶୁଣି ବି ନଥିବେ । କିନ୍ତୁ ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ କବର ଖୋଳିଛନ୍ତି ବୃଦ୍ଧ ଦମ୍ପତି । ବଞ୍ଚି ଥାଉ ଥାଉ ନିଜ ପାଇଁ ନିଜେ କବର ଖୋଳିବା କଥା ଟିକେ ଅଡୁଆ ଲାଗୁଥିବ। କିନ୍ତୁ ଆଜ୍ଞା ଘଟଣାଟି ନିରାଟ ସତ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି, ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ମୃତ୍ୟୁକୁ ଅପେକ୍ଷା କରି ରହିଥିବା ବା ବଞ୍ଚି ଥାଉ ଥାଉ ନିଜ ପାଇଁ ଓ ନିଜ ପତ୍ନୀ ପାଇଁ ସୁନ୍ଦର କବର ଟିଏ ତିଆରି କରି ଏବେ ଚର୍ଚ୍ଚାରେ ୮୦ ବର୍ଷୀୟ ଲକ୍ଷ୍ମଣ ଭୂୟାଁ ।

ଲକ୍ଷ୍ମଣ ଭୂୟାଁଙ୍କ ପତ୍ନୀ ଜେଙ୍ଗି ଭୂୟାଁ । ଲକ୍ଷ୍ମଣ ଭୂୟାଁଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ପତ୍ନୀଙ୍କ ବୟସ ଏବେ ୭୦ ଟପିଲାଣି। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅକୁ ନେଇ ସୁନ୍ଦର ସଂସାରଟି ଥିଲା। ତେବେ ପିଲେ ବଡ ହେବା ପରେ ଲକ୍ଷ୍ମଣ ନିଜ ଦୁଇ ପୁଅ ପରମ ଭୁୟାଁ, ପବିତ୍ର ଭୂୟାଁ ଏବଂ ଝିଅ ମାଳତୀ ରଇତକୁ ବିବାହ କରାଇଦେଲେ। ହେଲେ ସମସ୍ତେ ବିବାହ ପରେ ଏବେ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି । ପରିଣତ ବୟସରେ ବୃଦ୍ଧା ବାପା ମାଆଙ୍କ ସେବା କରିବା ପାଇଁ ପାଖରେ କେହି ନ ଥିବାବେଳେ, ବୁଢା ବୁଢୀ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଉଭୟେ ବୟସର ଅପରାହ୍ନରେ ପହଞ୍ଚିଥିବାବେଳେ, ମଲାପରେ କାଳେ କିଏ ସାହା ହେବେ କି ନହେବେ, ସେନେଇ ନିଜେ ଲକ୍ଷ୍ମଣ କରିଛନ୍ତି ଏଭଳି ଉଦ୍ୟମ । କିଭଳି ମୃତ୍ୟୁ ପୂର୍ବରୁ ନିଜ ପାଇଁ ଓ ନିଜ ପତ୍ନୀଙ୍କ ପାଇଁ ଏକ କବର ତିଆରି କରିବେ ସେଥିପାଇଁ ସେ ଘର ଧାନ, ବଗଡ ରୁ ଆଦାୟ ହେଉଥିବା କାନ୍ଦୁଲ, ଝୁଡୁଙ୍ଗ, କାଜୁ ଓ ଦୁଇଟି ଗାଈ ଆଦି ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଓ ପତ୍ନୀଙ୍କ ଦୁଇଟି ସମାଧି ତିଆରି କରିଛନ୍ତି । ଦୁଇଟି କବର ଖୋଲା ଯାଇଛି, ଉପରେ ଛାତ କରି ସେଥିରେ ମାର୍ବଲ ଲଗା ଯାଇଛି । ପାଖରେ ଦୁଇଟି ସିମେଣ୍ଟ ପ୍ଲେଟ୍ ମଧ୍ୟ ପଡିଛି । ଏହି ପ୍ଲେଟ୍ ଦୁଇଟିକୁ କବର ଉପରେ ଢାଙ୍କିବା ପାଇଁ ରଖାଯାଇଛି ।

ମୃତ୍ୟୁ ପରେ କାଳେ ପୁଅ ଝିଅ କିମ୍ବା ବୋହୁ ବୁଢା ବୁଢ଼ୀ ଦୁହିଁଙ୍କ ପାଇଁ ଭଲ କବରଟିଏ କରିବେ କି ନାହିଁ ବୋଲି ଚିନ୍ତା କରି ଲକ୍ଷ୍ମଣ ତିଆରି କରିଛନ୍ତି ଏହି କବର। କବର ସ୍ଥାନର ଆହୁରି କିଛି କାମ ବାକି ରହିଥିବାରୁ ଅର୍ଥର ଅଭାବ ରହିଛି। ଅର୍ଥ ର ଯୋଗାଡ଼ କରି କାମ ସଂପୂର୍ଣ୍ଣ କରିବାର ଲକ୍ଷ୍ୟ ରଖିଛନ୍ତି ଲକ୍ଷ୍ମଣ। ସମୟ ପାଇଲେ ସେ ନିଜେ କବର ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି ।ବୟସର ଅପରାହ୍ନରେ ପହଞ୍ଚି ସାରିଥିବାବେଳେ, ପାରିବାରିକ ସମସ୍ୟା ଏମାନଙ୍କୁ ଭାରି ବାଧିଛି । ପରିବାରର କାହା ଉପରେ ବୋଝ ନହେବା ପାଇଁ ନିଜ ପାଇଁ ନିଜେ କରିଛନ୍ତି ପୂର୍ବ ପ୍ରସ୍ତୁତି । ପରିବାରର ହିତ ସାଧନ ପାଇଁ ପିଲାଙ୍କୁ ପାଠ ପଢାଇ ମଣିଷ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୃଦ୍ଧ ଦମ୍ପତି। କବର ତିଆରି କରିବାରେ ଗ୍ରାମବାସୀଙ୍କୁ ଭୋଜିଭାତ ମଧ୍ୟ ଦେଇଛନ୍ତି । ଏଭଳି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟନ୍ଵିତ ହେବା ସହ ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *