ଫୋକସ ପ୍ଲସ 05/02/2023(ବ୍ୟୁରୋ) ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମାମଲାରେ ସିଧାସଳଖ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ହତ୍ୟା ଘଟଣାରେ ଏଯାଏ ପୋଲିସକୁ କିପରି କୌଣସି ସୁରାକ ମିଳିନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି |ତେବେ ଏହି ଘଟଣାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ପଷ୍ଟ ହୋଇଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ ହତ୍ୟା କରିଛନ୍ତି । ଏପରିକି ପୋଲିସ ଅଧିକାରୀ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି । କାହିଁକି ହତ୍ୟାକାରୀ ସାଜିଲା ପୋଲିସ ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏପଟେ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଡିଜି ମହାପ୍ରଭୁଙ୍କ ନାମ ନେଇ ଖସି ଯିବାକୁ ଚେଷ୍ଟା କରୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି ମାମଲାରେ କମିଶନ ଆକ୍ଟରେ ନ୍ୟାୟାଧିଶ ନିଯୁକ୍ତ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ସହ କେନ୍ଦ୍ରମନ୍ତ୍ରୀ ରାଜ୍ୟର ଅନ୍ୟ ଦୁଇଟି ଚର୍ଚ୍ଚିତ ମାମଲାରେ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।ବାଲେଶ୍ଵର ଜିଲ୍ଲାର ବାଲି ମାଫିଆ ମାନେ ଉପ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ ଉପରେ ଆକ୍ରମଣ ଘଟଣାର ଉଦାହରଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପୋଲିସ ନିଜ କାମ କରୁନଥିବାରୁ ଲୋକଙ୍କ ଭିତରେ ପୋଲିସ ପ୍ରତି ଭୟ ଦୂର ହୋଇଛି । ପୋଲିସ ଏବେ ଶାସକ ଦଳର ହାତ ବାରିସୀ ସାଜିଥିବା ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।
ସେପଟେ ମାହାଙ୍ଗା ମର୍ଡର ଘଟଣାରେ ମନ୍ତ୍ରୀଙ୍କ ନାଁ ଏଯାଏ ତଦନ୍ତ ପରିସରଭୁକ୍ତ ହୋଇନାହିଁ । ମନ୍ତ୍ରୀଙ୍କ ନାଁ ତାଲିକାଭୁକ୍ତ କରିବାକୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ପଡ଼ିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପୀଡିତଙ୍କ ପରିବାର ଅଭିଯୋଗ କଲେ ମଧ୍ୟ ସଂପୃକ୍ତ ପ୍ରଭାବଶାଳୀଙ୍କ ନାଁ ରହୁନି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏସବୁ ପ୍ରସଙ୍ଗ ନେଇ ଆଗକୁ ବିଜେପି ରାଜ୍ୟରେ ଜନଜାଗରଣ ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି।
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ