ମୁଁ ବି ହେବି ମୁଖ୍ୟମନ୍ତ୍ରୀ

ଫୋକସ ପ୍ଲସ (ବ୍ୟୁରୋ)୨୩/୦୬/୨୦୨୨: ଯଦି ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଓଡ଼ିଶା ପାଇଁ କ’ଣ ସ୍ୱପ୍ନ ଦେଖିବେ? କିମ୍ବା ଯଦି ଆପଣଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ମିଳେ ତେବେ ଆପଣ ସମାଜ ପାଇଁ, ଜାତି ପାଇଁ, ସାଢେ ଚାରି କୋଟି ଓଡ଼ିଆ ଙ୍କ ପାଇଁ କଣ କରିପାରିବେ?ଏହି ପ୍ରଶ୍ନ ଯେତେବେଳେ ଲୋକଙ୍କ ମନକୁ ଆସେ ତତକ୍ଷଣାତ କିଛି କ୍ଷଣ ପାଇଁ ଭାବୁକ ହୋଇଥାନ୍ତି | ଭାବନା ରାଇଜରେ ଡୁବି ଯିବାକୁ ବାଧ୍ୟ ହୁଅନ୍ତି |କାରଣ ଏତେ ବଡ଼ ଗୁରୁ ଦାୟିତ୍ୱ ତୁଲାଇବା ବୋଧେ ଏତେ ସହଜ ନୁହେଁ |ତଥାପି ମନ ଭିତରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଖୋଜିବାକୁ ଲାଗିବେ ସାଧାରଣ ଜନତା |କିଏ କିଏ ତ ଓଡିଶା କୁ ବିଶ୍ୱ ସ୍ତରୀୟ କରିବା ପାଇଁ ଚିନ୍ତା କରିବେ ତ ଆଉ କିଏ ମୋ ଓଡ଼ିଆ ଜାତି, ମାଟି କୁ ବିଶ୍ୱ ଦରବାର ରେ ପହଂଚାଇବା ପାଇଁ ସ୍ବପ୍ନ ଦେଖିବେ | କିନ୍ତୁ କିଛି କ୍ଷଣ ପରେ ଯେତେବେଳେ ସ୍ବପ୍ନ ଭାଙ୍ଗିଯିବ ପୁଣି ସେଇ ପୁରୁଣା ରାଇଜକୁ ଫେରି ଅଦିନିଆ ମେଘ ଭଳି ବଂଚିବାର ସ୍ବପ୍ନ ନେଇ ଚାଲିବାକୁ ପ୍ରସ୍ତୁତ ହୁଅନ୍ତି | କିନ୍ତୁ ଥରୁଟିଏ ଭାବନ୍ତୁ ଆପଣ ମୁଖ୍ୟମନ୍ତ୍ରୀ ନ ହୋଇ ବି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିପାରିବେ |

ଥରେ ଚିନ୍ତା କରନ୍ତୁ,ମୁଖ୍ୟମନ୍ତ୍ରୀ ହେଲେ କ’ଣ ଓଡ଼ିଶା ପାଇଁ ସ୍ୱପ୍ନ ଦେଖି ହେବ ନହେଲେ ଦେଖି ହେବନି? କିନ୍ତୁ ଆମେ କହିବୁ ମୋର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ କିମ୍ବା ଇଚ୍ଛା ନାହିଁ | ସମସ୍ତଙ୍କ ସ୍ୱପ୍ନ, ଓଡ଼ିଶାର ସାଧାରଣ ଲୋକ ନ୍ୟାୟ ପାଇବା ଦରକାର। ଦୁର୍ନୀତିମୁକ୍ତ ଓଡ଼ିଶା, ସ୍ୱଚ୍ଛ ଶାସନ, ବିକଶିତ ଓଡ଼ିଶା ଆମେ ଦେଖିବାକୁ ଚାହୁଁ | ଓଡ଼ିଶା ବିକାଶର ରାସ୍ତାରେ ଯିବା ଯେତିକି ଆବଶ୍ୟକତା ରହିଛି , ଦାରିଦ୍ର୍ୟ ଓ କଳଙ୍କମୁକ୍ତ ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳାଯିବାର ମଧ୍ୟ ସେତିକି ଆବଶ୍ୟକତା ରହିଛି |
ଓଡ଼ିଶାର ବିକାଶ ପାଇଁ ଏଠାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ହେବା ଦରକାର | କିନ୍ତୁ ବିଡମ୍ବନା,ଏଥିପାଇଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇନି।ନାଲ୍‌କୋ, ଆଇଓସିଏଲ୍‌ ଭଳି ସରକାରୀ ସଂସ୍ଥାକୁ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସଂସ୍ଥା ଅଧିକ ପୁଞ୍ଜିନିବେଶ କରିନାହାନ୍ତି। ସେହିପରି ଯେଉଁ କେତୋଟି ବେସରକାରୀ ସଂସ୍ଥା ଅଧିକ ପୁଞ୍ଜିନିବେଶ କରିବାକୁ ଆସିଛନ୍ତି, ସେମାନେ ବେଶି ଆଗକୁ ଯାଇପାରିନାହାନ୍ତି | ଏତିକିରେ ଓଡ଼ିଶାର ବିକାଶ ସମ୍ଭବପର ନୁହେଁ |
ଦେଶରେ ଅନେକ ରାଜ୍ୟ ଅଛି ଯାହାକୁ ମଡେଲ୍‌ ଭାବେ ଗ୍ରହଣ କରି ଓଡିଶା ବିକାଶ ପଥରେ ଆଗେଇପାରିବ | ଯେପରି ମହାରାଷ୍ଟ୍ର, ଗୁଜୁରାଟ ଭଳି ରାଜ୍ୟ ହେଉଛି ଉଦାହରଣ | କିଛି ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଣ୍ଟା ଭିଡୁଛନ୍ତି, ଆଉ କିଛି ନେତା ଅଛନ୍ତି ଯାହାଙ୍କ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି | ଓଡ଼ିଶା ଦେଶର ସବୁଠୁ ଦରିଦ୍ର ରାଜ୍ୟ | ଏହାର ବିକାଶ ସମସ୍ତଙ୍କର ସ୍ୱପ୍ନ ହେବା ଦରକାର | ତେବେ ବିକାଶ ହେବ କେମିତି? ଯଦି ବିକାଶ କଥା କହିବା ତେବେ ଆମ ରାଜ୍ୟ ଓଡ଼ିଶାର ବିକାଶ ପାଇଁ ସବୁ ମୌଳିକ ଆବଶ୍ୟକତା କୁ ପୂରଣ କରିବାର ଅଛି | ମୁଖ୍ୟତଃ ଶିକ୍ଷାର ଆବଶ୍ୟକତା ଅଛି | କିନ୍ତୁ ଶିକ୍ଷା ବ୍ୟବସ୍ଥା ପୂରା ଭୁଶୁଡ଼ି ଯାଇଛି | ପ୍ର୍ରାଥମିକଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସବୁ ବିପର୍ଯ୍ୟସ୍ତ | ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ଦରକାର | ପ୍ରତ୍ୟେକ ସ୍କୁଲ, କଲେଜ ରେ ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ ହେବା ଦରକାର | ଶିକ୍ଷକ ସମାଜ ଯେତେଦିନ ପର୍ଯ୍ୟନ୍ତ ଗାନ୍ଧୀ ମାର୍ଗ ରେ ଧାରଣା ଦେଉଥିବେ ସେତେଦିନ ପର୍ଯ୍ୟନ୍ତ ଶିକ୍ଷା ର ବିକାଶ ହେବା କେବଳ ଦିବା ସ୍ବପ୍ନ |ଅନ୍ୟପଟେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ହେବା ଯଥେଷ୍ଟ ଆବଶ୍ୟକ |କିନ୍ତୁ ଓଡ଼ିଶାରେ ଡାକ୍ତର ଅଭାବ ସମସ୍ୟା ସାଂଘାତିକ | ଯେତିକି ଡାକ୍ତର ପଦବି ଅଛି ତା’ର ଅଧା ଡାକ୍ତର ନାହାନ୍ତି | ପଦବୀ ପୂରଣ ହେବ ବା କେମିତି? ମୌଳିକ ଆବଶ୍ୟକତା କୁ ପୂରଣ କରିବା ପାଇଁ ଆନ୍ତରିକତା ରହିବା ଆବଶ୍ୟକ |ଯାହାକି ପାରିଲିକ୍ଷିତ ହେଉ ନାହିଁ |ଏବେ ଅଧିକ ସରକାରୀ ମେଡିକାଲ କଲେଜ ନିର୍ମାଣ ହେଉଛି,ଯାହାଦ୍ୱାରା ଭବିଷ୍ୟତରେ ଡାକ୍ତର ସମସ୍ୟା ଦୂର ହୋଇପାରିବ | ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଧ୍ୟାନ ଦେଲେ ରାଜ୍ୟର ଅଧା ସମସ୍ୟା ଦୂର ହୋଇଯିବ |
ପ୍ରତ୍ୟେକ ସ୍ତରରେ ପିସି କାରବାର ବର୍ତମାନ ଏକ ଟ୍ରେଣ୍ଡ ଭାବେ ଉଭା ହୋଇଛି |ଯାହାକୁ ବନ୍ଦ କରିବା ସମ୍ଭବ ପର ନୁହେଁ | “ଜୋ ଲୁଟନେ କି ଇରାଦେ ସେ ଆୟେ ହେଁ ଉନକା କ୍ୟା “| ଦେଶ ଭାସିଯାଉ, ଜାତି ଭାସିଯାଉ ସେମାନେ ପିସି କାରବାର ପୁର୍ଣ ମାତ୍ରାରେ କରିବେ ଯାହାକି ନିହାତି ବନ୍ଦ ହେବାର ଆବଶ୍ୟକତା ରହିଛି | ଅନ୍ୟପଟେ ନିଶାଯୁକ୍ତ ସମାଜ ଆଉ ଏକ କଳୁଷିତ ଉଦାହରଣ | ନିଶା କାରବାରରୁ ସରକାର ଙ୍କୁ ଅଧିକ ରାଜସ୍ବ ମିଳୁଥିବାରୁ ଏହା ବନ୍ଦ ହେବା ଏକ ପ୍ରକାର ଅନିଶ୍ଚିତ ଭବିଷ୍ୟବାଣୀ |ମଦକୁ ବନ୍ଦ କରିବା ପରିବର୍ତ୍ତେ ଯଦି ନିୟନ୍ତ୍ରଣ କରାଯାଇପାରିବ ତେବେ ମଦମୁକ୍ତି ସମାଜ କିଛି ମାତ୍ରାରେ ଦୃଶ୍ୟମାନ ହୋଇପାରିବ |ସେହିପରି ଯେତେବେଳେ କମ୍ପାନିମାନ ଓଡ଼ିଶାର ବିକାଶକୁ ନଜରରେ ରଖି ଆସନ୍ତି କିନ୍ତୁ ଲୁଟିବବାରେ ବ୍ୟସ୍ତ ରୁହନ୍ତି |ଓଡ଼ିଶାରେ ପ୍ରଚୁର ପୁଞ୍ଜିନିବେଶ ହେବା ଦରକାର। ପୁଞ୍ଜି ବିନିଯୋଗ ହେଲେ ହିଁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ |

ଯେଉଁ ରାଜ୍ୟରେ ସରକାରୀ କର୍ମଚାରୀ ଙ୍କ ପେନଶନ ବାବଦକୁ ସରକାର ଚିନ୍ତା କରୁନାହାନ୍ତି ସେହି ରାଜ୍ୟରେ ବିଧାୟକ ମାନେ ଲକ୍ଷ୍ୟ ଲକ୍ଷ ଟଙ୍କା ଦରମା ଆକାରରେ ପାଆନ୍ତି | ପୁଣି ବିଦେଶ ଭ୍ରମଣ, ମେଡିକାଲ ଖର୍ଚ୍ଚ,ଗାଡ଼ିଖର୍ଚ୍ଚ,ପେନସନ ବାବଦକୁ ଅର୍ଥ ପାଆନ୍ତି |ସରକାର ଯେଉଁଠି ଚିଟଫଣ୍ଡ ଚୋରଙ୍କୁ ସୁରକ୍ଷା ଦେଉଛି ସେଠି ସାଧାରଣ ଜନତା କଣ ପାଇବେ ଆଶା କରିବା ବୃଥା |

ଯେଉଁମାନେ ଅନୁଭବ କୁ ନେଇ ରାଜନୀତି କରନ୍ତି ସେମାନେ ଜନସାଧାରଣ ଙ୍କ ପାଖରେ ନିଜକୁ ଉତ୍ତରଦାୟୀ ମଣିଥାନ୍ତି | ମନେ ରଖିବାକୁ ହେବ ଏଠି ଜନତା ହିଁ ସର୍ବେସର୍ବା। ସମୟ ଆସିଲେ ଯଦି ଲୋକ ଚାହିଁବେ ତେବେ ମୁଁ ବି ଦିନେ ମୁଖ୍ୟମନ୍ତ୍ରୀ ହେବି |ମୋର କୌଣସି ଲାଳସା ନାହିଁ ତଥାପି ଏତିକି କହିବୁ ହୁଏତ ରାଜ୍ୟ ବଦଳିବାରେ ମୋର ପ୍ରୟାସ ହେବ ଅଭିନଵ ମାଧ୍ୟମ |

Leave a Reply

Your email address will not be published. Required fields are marked *