ମିଶନ ମୋଡ଼ରେ ମଣ୍ଡିଆ ଚାଷ

ଫୋକସ ପ୍ଲସ(ମାଲକାନଗିର)୨୦/୦୮/୨୦୨୨: ମାଲକାନଗିଇର ଜିଲ୍ଲାରେ ମାଣ୍ଡିଆ ଚାଷକୁ ସଫଳ କରିବା ପାଇଁ ବର୍ତ୍ତମାନ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ଜିଲ୍ଲାରେ ମାଣ୍ଡିଆ ଚାଷ ଲାଗି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତଗର୍ତ ସ୍ଥାନୀୟ ଶିଶୁ ଓ ମହିଳା କଲ୍ୟାଣ ସମିତି ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ, ୱାସନ ଅନୁଷ୍ଠାନ ଓ ଆତ୍ମା ପ୍ରକଳ୍ପ ସହାୟତାରେ ମିଲେଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ବଡ଼ପଡା, ପାପରମେଟେଲା, ରାଲେଗଡା ଓ ଧୂଳିପୁଟ ପଞ୍ଚାୟତ ଅନ୍ତଭୂକ୍ତ ଭିଭିନ୍ନ ଗ୍ରାମର ଚାଷୀଙ୍କ ଜମିରେ ମାଣ୍ଡିଆ ସୁଆଁ ଚାଷ ନିମନ୍ତେ ବେଡ଼ ପ୍ରସ୍ତୁତି କରାଯାଇ ତଳି ପକାଯାଇ ଜମି ପ୍ରସ୍ତୁତି କରି ତଳି ରୋପା କରିବା ଆରମ୍ଭ କରାଯାଇଛି । ଶିଶୁ ଓ ମହିଳା କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ଏକ ହଜାର ନଅଶହ ଚାଷୀଙ୍କୁ ଚୟନ କରାଯାଇ ମୋଟ ୧୩୮୦ ହେକଟର ଜମିରେ ସୁଆଁ ମାଣ୍ଡିଆ ଚାଷ କରିବା ପାଇଁ ଚାଷୀ ଚୟନ କରାଯାଇଛି । ଯେଉଁ ମାଣ୍ଡିଆ ଓ ସୁଆଁ ଚାଷକୁ କେବଳ ଜୈବିକ ଖତ ସାରରେ ବ୍ୟବହାର କରାଯାଇ ଚାଷ କରାଯିବ, ଯାହା ଫଳରେ ଚାଷୀ ଦୁଇଗୁଣା ଅଧିକ ଅମଳ ପାଇବ ବୋଲି କୁହାଯାଇଛି । ବିଗତ ବର୍ଷ ଚାଷୀ ମାଣ୍ଡିଆ କିଗ୍ରା ପ୍ରତି ଟ.୩୨.୯୫ ପଇସାରେ ମଣ୍ଡିରେ ବିକି ଭଲ ଲାଭବାନ ହୋଇଥିବା ଦେଖିବାକୁ ମିଳିଛି । ତେବେ ଜିଲ୍ଲାରେ ମାଣ୍ଡିଆ ଚାଷକୁ ଆହୁରି ଅଧିକ ସଫଳ କରିବା ପାଇଁ ଏହି ଚାଷ କରୁଥିବା ମହିଳା ଗୋଷ୍ଠୀ, ମାଣ୍ଡିଆ ଚାଷୀ ଓ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି ମାନଙ୍କୁ ମିଲେଟ ମିଶନ ପ୍ରକଳ୍ପ ସଂଯୋଜକ ତପନ କୁମାର ରଥ, ସୁରେଶ ଚନ୍ଦ୍ର ପୂଜାରୀ, ତ୍ରିନାଥ ଖେମୁଡୁ ଓ ରାକେଶ ମହାରଣା ପ୍ରମୁଖ ମାଣ୍ଡିଆରେ ବିଭିନ୍ନ ପ୍ରକାରର ପ୍ରସ୍ତୁତ ଜଳଖିଆ ସମ୍ପର୍କରେ ଜ୍ଞାନ କୌଶଳ ପ୍ରଦାନ କରାଯାଇ ଅନେକ ପ୍ରକାର ଜଳଖିଆ ତିଆରି ବିଷୟରେ ଅବଗତ କରାଇଛନ୍ତି । ଫଳରେ ମାଣ୍ଡିଆ ଚାଷ ପ୍ରତି ଜିଲ୍ଲାରେ ଆଗ୍ରହ ବଢିବାରେ ଲାଗିଛି ।

 

Leave a Reply

Your email address will not be published. Required fields are marked *