ଫୋକସ ପ୍ଲସ(ପରଜଙ୍ଗ)୦୯/୦୯/୨୦୨୨: କଠିନ ପରିଶ୍ରମ, ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ । ଅନେକ ବାଧା,ବିଘ୍ନ ଓ ଘାତ,ପ୍ରତିଘାତ ବିଫଳତାର କଷ୍ଟକୁ ଦ୍ୱାହି ଦେଇ ସଫଳତା ଏକ ଚାବିକାଠି ପାଲଟିଥାଏ । ଅର୍ଥାତ “ଫେଲର ଇଜ ଦ ପିଲାର ଅଫ ସକସେସ “। ମାଟ୍ରିକ ଫେଲରୁ ଜଣେ ସଫଳ ଚାଷୀ । ଜୀବନର ପ୍ରଥମ ୫୦ ଟଙ୍କା ରୋଜଗାର ଦେଇଥିଲା ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର । ଆଉ ସେହି ୫୦ ଟଙ୍କା ଆଜି ୫୦ ଲକ୍ଷ ଟଙ୍କାର ଫାର୍ମ ହାଉସ ତିଆରି ସ୍ୱପ୍ନକୁ ସାକାର କରିଛି । ଜୀବନର କଷ୍ଟକୁ ନେଇ ଏକ ଲମ୍ବା ଯାତ୍ରା କରି ଶେଷରେ ସଫଳତା ସାଉଁଟିଥିବା ଜଣେ ଯୁବ ଚାଷୀକୁ ନେଇ ପରଜଙ୍ଗ ବ୍ଲକ ବାଲିପଶିରୁ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗାଁର ଯୁବ ଚାଷୀ ବାସୁଦେବ ପରିଡା । ବାସୁଦେବଙ୍କ କିଶୋର ଅବସ୍ଥା ଅନେକ ଦୁଃଖ ଦୁର୍ଦ୍ଦଶାରେ କଟିଥିଲେ ମଧ୍ୟ ତାଙ୍କର ଧୀଶକ୍ତି ଓ ମନୋବଳ ତାଙ୍କୁ ଜଣେ ସଫଳ ଚାଷୀ ଭାବେ ଠିଆ କରିଛି ।ବାପା ଦୀନବନ୍ଧୁ ପରିଡା ଓ ମାଆ ଯଶୋମତୀ ପରିଡାଙ୍କର ବଡ଼ ପୁଅ ହେଉଛନ୍ତି ବାସୁଦେବ । ତିନି ଭାଇ ଓ ଗୋଟିଏ ଭଉଣୀଙ୍କ ମଧ୍ୟରେ ବାସୁଦେବ ହେଉଛନ୍ତି ବାପା ମାଆଙ୍କର ଭାରି ଗେହ୍ଲା । ମାଟ୍ରିକର ହିଡକୁ ତିନି ତିନିଥର ଚେଷ୍ଟା କରି ମଧ୍ୟ ଡେଇଁ ପାରିନଥିଲେ ବାସୁଦେବ । ଶେଷରେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଭୁବନେଶ୍ବର ଚାଲି ଯାଇଥିଲେ । ସେଠାରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରି ୫୦ ଟଙ୍କା ରୋଜଗାର କରିଥିଲେ । ସେହି ୫୦ଟଙ୍କା ରୋଜଗାର ତାଙ୍କୁ ଆଜି ୫୦ ଲକ୍ଷ ଟଙ୍କାର ଫାର୍ମ ହାଉସର ମାଲିକ କରି ପାରିଛି । ଜୀବନ ଯୁଦ୍ଧରେ କେବେ ହାର ମାନି ନାହାଁନ୍ତି ବାସୁଦେବ । ଜଣେ ଶ୍ରମିକରୁ ରାଜମିସ୍ତ୍ରୀ ଆଉ ଶେଷରେ ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି । ଆଜିର ଯୁବ ସମାଜ ପାଇଁ ଜଣେ ନିଦର୍ଶନ ପାଲଟିଛନ୍ତି । ପରିବାର ପ୍ରତିପୋଷଣ କରିବା ସହ ଭାଇ ଓ ଭଉଣୀ ମାନଙ୍କର ଦାୟିତ୍ବ ଏବଂ ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ସେ ହସ ଖେଳାଇ ପାରିଛନ୍ତି । ସାନ୍ଦା ପଂଚାୟତ ବାଲିପଶି ଠାରେ ଥିବା ୩ ଏକର ଚାଷ ଜମିରେ ଆରମ୍ଭ କରିଛନ୍ତି ବିଭିନ୍ନ ପ୍ରକାର ଚାଷ । ମୁକ୍ତା ,ମାଛ ,ଆମ୍ବ ,ପିଜୁଳି ,ବିଭିନ୍ନ ପନିପରିବା ଓ ଶାଗୁଆନ ଭଳି ଗଛ ଲଗାଇ ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ବାସୁଦେବ ।
ଦୁଇଟି ପୋଖରୀରେ ମାଛ ଚାଷ ସହିତ ଗୋଟିଏ ପୋଖରୀରେ କରିଛନ୍ତି ମୁକ୍ତା ଚାଷ । ୟୁଟୁବରୁ ମୁକ୍ତା ଚାଷ ସମ୍ପର୍କରେ ଦେଖିଲା ପରେ ବାଲେଶ୍ଵରର ଜଣେ ସଫଳ ମୁକ୍ତା ଚାଷୀଙ୍କ ସହଯୋଗ ଓ ଉଚିତ ତାଲିମ ପାଇ ବସୁଦେବ ଆରମ୍ଭ କରି ଦେଇଛନ୍ତି ମୁକ୍ତା ଚାଷ । ପ୍ରଥମେ ଗୋଟିଏ ପୋଖରୀରେ ୨୫ ହଜାର ମୁକ୍ତା ଛାଡିଛନ୍ତି । ମୁକ୍ତା ଗୁଡିକୁ ସର୍ଜରୀ କରାଯାଇ ୧୦ ଦିନ ଅବଜରଭେସନରେ ରଖିଲା ପରେ ପୋଖରୀରେ ଛଡା ଯାଇ ପ୍ରତିଦିନ ଏହାର ଦାୟିତ୍ବ ନିଆ ଯାଇଥାଏ । ପୋଖରୀରେ ମେସିନ ଲଗାଇ ସ୍ପ୍ରିଙ୍କଲର ମାଧ୍ୟମରେ ଜଳ ଯୋଗାଣ ସହ ସଠିକ ବ୍ୟବଧାନରେ ମୁକ୍ତା ଗୁଡିକୁ ପାଣି ଭିତରେ ଝୁଲା ଯାଇଛି । ମୁକ୍ତା ପାଇଁ ଖାଦ୍ୟ ଓ ଉତ୍ତମ ରକ୍ଷଣାବେକ୍ଷଣ ମଧ୍ୟ ନିଆଯାଉଛି । ମୁକ୍ତା ଗୁଡ଼ିକ ଅମଳ କରିବା ପାଇଁ ପ୍ରାୟ ୧୨ ରୁ ୧୫ ମାସ ସମୟ ଲାଗିଥାଏ । ଗୋଟିଏ ମୁକ୍ତାରେ ପ୍ରାୟ ୫୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏବଂ ଯଦି ସଠିକ ଭାବେ ଅମଳ ହେବ ତେବେ ଗୋଟିଏ ଶାମୁକାରୁ ଦୁଇଟି ମୁକ୍ତା ବାହାରିଥାଏ । ଯାହାର ବଜାର ମୂଲ୍ୟ ଗୋଟିକ ପିଛା ଶହେ ଟଙ୍କା ହୋଇଥିବା ଜଣାପଡିଛି । ପ୍ରତି ସପ୍ତାହରେ ଥରେ ମୁକ୍ତା ଗୁଡିକୁ ଯାଞ୍ଚ କରାଯାଇ ତାର ସ୍ଥିତି ଅନୁଧ୍ୟାନ କରାଯାଇଥାଏ । ବାସୁଦେବ ହେଉଛନ୍ତି ଅଞ୍ଚଳରେ ପ୍ରଥମ ଚାଷୀ ଯିଏ ମୁକ୍ତା ଚାଷ କରି ସଫଳତା ପାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।ଫାର୍ମ ହାଉସକୁ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରମିକ ସହିତ ହାତୀ ଉପଦ୍ରବରୁ ରୋକିବା ପାଇଁ ସୋଲାର ବାଡ଼ ଓ ବାଉଣ୍ଡାରୀର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଚାଷ ପାଇଁ ଦୁଇଟି ବୋରୱେଲ୍ ମଧ୍ୟ ଖୋଳାଯାଇଛି । ଏଥିସହିତ ସିସିଟିଭି ବ୍ୟବସ୍ଥା ହୋଇଛି । ଯାହା ଦ୍ୱାରା ଚାଷର ସଠିକ ସୁପରିଚାଳନା ହୋଇ ପାରିବ । ସମସ୍ତ ଚାଷର ସଠିକ ରୂପାୟନ ପାଇଁ ସରକାରୀ ଅଧିକାରୀଙ୍କ ପରାମର୍ଶ ନେଉଛନ୍ତି ବାସୁଦେବ । ଏପରିକି ବିଭିନ୍ନ ବିଭାଗରୁ ସରକାରୀ ସହାୟତା ମଧ୍ୟ ସେ ପାଇଛନ୍ତି । ଆଗାମୀ ଦିନରେ ଏହି ଫାର୍ମ ହାଉସକୁ ବଢ଼ାଇ ଅଧିକ ରୋଜଗାରର ଆଶା ରଖିଛନ୍ତି ବାସୁଦେବ । ବାସୁଦେବଙ୍କ ସଫଳତାକୁ ନେଇ ବେଶ ଖୁସି ଅଂଚଳବାସୀ । ଖୁସି ବ୍ୟକ୍ତ କରିଛନ୍ତି ବ୍ଲକ କୃଷି ଅଧିକାରୀ । ସମସ୍ତ ସରକାରୀ ସହାୟତା ଓ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଯୁବ ପିଢ଼ି ଚାକିରୀ ପଛରେ ନପଡ଼ି ନିଜର ବୁଦ୍ଧି ଓ ଜ୍ଞାନ କୌଶଳ ବଳରେ ଜଣେ ସଫଳ ଚାଷୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଯାହାର ୫୭ ଭାଗ ଲୋକ କୃଷିକୁ ନେଇ ନିଜର ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଚାଷ ସମସ୍ତଙ୍କ ମୁହଁରେ ଆହାର ଯୋଗାଇବା ସହ ପରିବାର ମଧ୍ୟରେ ଖୁସି ଆଣିଥାଏ ।ନିଜର ଉଦ୍ୟମ ,ଚେଷ୍ଟା ଓ ନିଷ୍ଠା ସହ ଜ୍ଞାନ କୌଶଳ ବାସୁଦେବଙ୍କ ପରି ଜଣେ ସଫଳ ଚାଷୀ ଭାବେ ସମଗ୍ର ଅଂଚଳରେ ପରିଗଣିତ କରିପାରିବ । ପ୍ରତିଟି ଚାଷ ସମସ୍ତଙ୍କ ପାଇଁ ଉପଯୋଗୀ , ଯାହାର ସଠିକ ରୂପାୟନ ଓ ବିନିଯୋଗ ଜଣେ ଉତ୍ତମ ସଫଳ ଚାଷୀ ଭାବେ ସମାଜରେ ନିଦର୍ଶନ ସୃଷ୍ଟି କରିଥାଏ ।
