ତାଳଚେର :ତାଳଚେର ବ୍ଲକରେ ମଙ୍ଗଳବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବହୁ ଉତ୍କଣ୍ଠା ଓ ଛକାପଞ୍ଝା ମଧ୍ୟରେ ସମାପନ ହୋଇଛି । ଉକ୍ତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁଠି ଦେଖାଦେଇଥିଲା ଚଳଚଞ୍ଚଳ ପରିବେଶ ଓ ରାଜନୈତିକ ଉଷ୍ମତା । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ଶୁକ୍ରବାର ଦିନ ସକାଳ ୭ ଘଣ୍ଟା ଠାରୁ ମତଦାନ କେନ୍ଦ୍ର ଗୁଡିକରେ ନିର୍ବାଚନ ନିୟମ ଅନୁଯାୟୀ ଯଥାବିଧୂ ନିର୍ବାଚନ ପରିଚାଳନା ଆରମ୍ଭ ହୋଇଥିଲା । ସକାଳ ୭ ଘଣ୍ଟାଠାରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଗୁଡିକରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ କରିବା ପାଇଁ ସମୟ ନିର୍ଘଣ୍ଟ ନିଶ୍ଚିତ ହୋଇଥିଲା । ମତଦାନ କେନ୍ଦ୍ରଗୁଡିକ ମଧ୍ୟରେ ଭୋଟରଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ବେଳେ ନିକ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ପଇଁତରା ମାରିବା ଫଳରେ ସ୍ଥାନୀୟ ବ୍ଲକରେ କୌଣସି ପ୍ରକ ।ର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଭୋଟରମାନେ ଶାନ୍ତି ପୂର୍ଣ୍ଣ ଭାବେ ନିଜ ନିଜର ମତଦାନ କରିଥିଲେ । ତେବେ, ପ୍ରାର୍ଥୀଙ୍କ ମଧ୍ୟରେ ହାରିବା କିମ୍ବା ଜିଣିବାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି । ଗାଁ ଗାଁରେ ସକାଳୁ ରାତ୍ରିଯାଏଁ ସବୁଠି ଚାଲିଛି ଚର୍ଚ୍ଚା । କାହା ସପକ୍ଷରେ ମତଦାନ ଅଧିକ ହୋଇଛି ସେନେଇ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଜୋରଦାର ଆଲୋଚନା ଚାଲିଛି । କାହାର ପଲା କେତେ ଭାରି ରହିଛି ତାହାକୁ ନେଇ ସବୁଠାରେ ଲାଗି ରହିଛି ସସପେନ୍ସା ତଥାପି ଜିତିବା ପାଇଁ ସବୁ ପ୍ରାର୍ଥୀ ଢେର ଆଶାୟୀ ଥିଲାବେଳେ ଭୋଟ ଗଣତି ଦିବସକୁ ଚାତକ ପକ୍ଷୀ ଭଳି ଅନାଇ ବସିଛନ୍ତି । ଆସନ୍ତା ୨୬ ତାରିଖଠାରୁ ଭୋଟ ଗଣତି ପ୍ରକ୍ରିୟା ତାଳଚେର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ୨୮ ତାରିଖ ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା ହେବ । ନିର୍ବାଚନ ସମୟରେ ଜନ ସମର୍ଥନ ହାସଲ ଲକ୍ଷ୍ୟରେ ପ୍ରାର୍ଥୀମାନଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇ ଯେଭଳି ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଥୁଲା ତାହା ଭୋଟ ଗ୍ରହଣ ପରେ ନରମି ଯାଇଛି ଆଉ ହାତଗଣତି ଦିନ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଥିବା ବେଳେ ଫଳାଫଳ ଘୋଷଣା ଦିବସ ଏବେ ସମସ୍ତଙ୍କ ହୃଦୟ ସ୍ପନ୍ଦନ ବଢ଼ାଇ ଦେଇଛି ।
ଭୋଟ ଗଣତିକୁ ଅପେକ୍ଷା ,ଆଶା ଆଶଙ୍କାରେ ଦିନ ଗଣୁଛନ୍ତି ଆଶାୟୀ ପାର୍ଥୀ
