ଫୋକସ ପ୍ଲସ(ଆଳି): କେବେ ମିଳିବ ଦେବାଶିଷଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର |ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅନେକ ଯୋଜନାମାନ କାର୍ଯ୍ୟ କରୁଛନ୍ତି |ମାତ୍ର ଜଣେ ୧୫ ବର୍ଷର ନାବାଳକ ଭିନ୍ନକ୍ଷମ ବାଳକକୁ ଧରି ଗୋଟେ ଅସହାୟ ଗରିବ ପରିବାର କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ କଟକ ଚିକିତ୍ସାଳୟ ପର୍ଯ୍ୟନ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ଖଣ୍ଡିକ ପାଇଁ ବାରମ୍ବାର ଦୌଡୁଥିଲେ ମଧ୍ୟ କେହି ତାଙ୍କ ଦୁଃଖକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି |
ପ୍ରମାଣପତ୍ର ନଥିବା କାରଣରୁ ଭିନ୍ନକ୍ଷମ ନାବାଳକ ଆଜି ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି |ଆଜ୍ଞା ହଁ, ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ପଞ୍ଚାୟତର ୧୩ନମ୍ବର ୱାର୍ଡ ହରିଜନ ସାହିର ମଧୁସୂଦନ ମଲ୍ଲିକ ଓ ମିନାକ୍ଷୀ ମଲ୍ଲିକଙ୍କ ପୁଅ ଦେବାଶିଷ ମଲ୍ଲିକଙ୍କ କଥା |ଦେବାଶିଷଙ୍କ ଜନ୍ମରୁ ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା ବେଳେ ସେ ଠିକ ଭାବେ ଚାଲିପାରନ୍ତି ନାହିଁ କି କଥା ମଧ୍ୟ କହିପାରନ୍ତି ନାହିଁ |ଦେବାଶିଷଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ବାପା,ମାଆ ତାଙ୍କୁ ଆଖି ଅପରେସନ ପାଇଁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ କଟକ କେନ୍ଦ୍ରାପଡ଼ା ବଡ଼ ମେଡିକାଲ କୁ ନେଇଥିଲେ |କେନ୍ଦ୍ରାପଡ଼ା ମେଡିକାଲ ରେ ପୁଅର ପରୀକ୍ଷା କରାଇ ମାତ୍ର ୨୫% ଭିନ୍ନକ୍ଷମ ରିପୋର୍ଟ ପାଇଥିଲେ |
ଫଳରେ ଦେବାଶିଷଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିପାରି ନଥିଲା |ପ୍ରମାଣପତ୍ର ଅଭାବରୁ ଆଜି ପର୍ଯ୍ୟନ୍ତ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି ଦେବାଶିଷ |ଯଦି ଜିଲ୍ଲା ପ୍ରଶାସନ ଦେବାଶିଷଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଖଣ୍ଡେ ପ୍ରଦାନ କରାଇ ପାରନ୍ତେ ତେବେ ସେ ସମସ୍ତ ସରକାରୀ ସୁବିଧା ପାଇ ପାରନ୍ତା ବୋଲି ଅସହାୟ ପରିବାର ଓ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି |
ଆଳିରୁ ସମ୍ବିତ ନାୟକଙ୍କ ରିପୋର୍ଟ