ଭାରତ ଆସିବେ ପୁଟିନ

ଫୋକସ ପ୍ଲସ 15/3/23(ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶ ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଏହାରି ଭିତରେ ଚଳିତ ବର୍ଷ ଭାରତ ଗସ୍ତ କରିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି ୨୦ ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପୁଟିନ ଭାରତ ଆସିବା ନେଇ ଚର୍ଚ୍ଚା ହେଉଛି । ଗସ୍ତ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିବା ସହ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ ହୋଇନଥିବା କ୍ରେମଲିନ ପ୍ରବକ୍ତା ସୂଚନା ଦେଇଛନ୍ତି । ଏହି ବର୍ଷ ଶେଷ ଭାଗରେ ଜି ୨୦ ସମ୍ମିଳନୀର ଅନ୍ତିମ କାର‌୍ୟ୍ୟକ୍ରମ ଭାରତରେ ଆୟୋଜିତ ହେବାକୁ ଯାଉଛି । ସମସ୍ତ ଜି ୨୦ ସଦସ୍ୟ ରାଷ୍ଟ୍ରମୁଖ୍ୟ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ନୂଆଦିଲ୍ଲୀରେ ଚୂଡାନ୍ତ କାର‌୍ୟ୍ୟକ୍ରମ ରଖାଯାଇଛି । ଋଷ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁସାରେ, ମସ୍କୋ ସ୍ଥିତ ପୁଟିନ ପ୍ରଶାସନର ମୁଖ୍ୟାଳୟର ମୁଖପାତ୍ର ଡିମଟ୍ରି ପେସକୋଭଙ୍କୁ ପୁଟିନଙ୍କ ଭାରତ ଗସ୍ତ ନେଇ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଭାରତରେ ହେବାକୁ ଥିବା ଶିଖର ସମ୍ମିଳନୀରେ ପୁଟିନଙ୍କ ଅଂଶଗ୍ରହଣକୁ ବିଚାର କରାଯାଉଛି କି ନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନରେ ମୁଖପାତ୍ର ପେସକୋଭ କହିଛନ୍ତି, ‘‘ପୁଟିନଙ୍କ ଭାରତ ଗସ୍ତ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । କିନ୍ତୁ ଏପର‌୍ୟ୍ୟନ୍ତ ସେ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ।’’ ଅନ୍ୟପଟେ ୟୁକ୍ରେନରେ ସାମରିକ କାର‌୍ୟ୍ୟାନୁଷ୍ଠାନ ମଧ୍ୟରେ ପୁଟିନ ଏବେ ବିଦେଶ ଗସ୍ତ କରୁନାହାନ୍ତି । ସେହିକ୍ରମରେ ଏହି କାର‌୍ୟ୍ୟକ୍ରମରେ ଅନ୍ୟ ସମସ୍ତ ଜି ୨୦ ସଦସ୍ୟ ରାଷ୍ଟ୍ରମୁଖ୍ୟ ଭାରତ ଗସ୍ତ କରୁଥିବା ବେଳେ ତାଙ୍କ ଗସ୍ତ ନେଇ ଅନିଶ୍ଚିତତା ଲାଗି ରହିଛି ।

Leave a Reply

Your email address will not be published. Required fields are marked *