ଭାରତରେ ପ୍ରଥମ – ମହିଳା ନାଁରେ ନାମିତ ହେଲା ହକି ଷ୍ଟାଡିୟମ

ଫୋକସପ୍ଲସ 13/05/2023(ବୁରୋ):

ଭାରତରେ ଅନେକ ବିଭିନ୍ନ କ୍ରୀଡ଼ା ପାଇଁ ଅନେକ ଷ୍ଟାଡିୟମ ରହିଛି। ସେଥିମଧ୍ୟରୁ ଏକାଧିକ ଷ୍ଟାଡିୟମକୁ ସ୍ଵାଧୀନତା ସଂଗ୍ରାମୀ, ରାଜନେତା ତଥା କ୍ରୀଡ଼ାବିତଙ୍କ ନାମରେ ନାମିତ କରାଯାଇଛି। ଏବେ ଭାରତରେ ପ୍ରଥମଥର ପାଇଁ ଜଣେ ମହିଳା କ୍ରୀଡ଼ାବିତଙ୍କ ନାମରେ ଏକ ଷ୍ଟାଡିୟମର ନାମକରଣ ହୋଇଛି। ଉତ୍ତରପ୍ରଦେଶର ରାୟବରେଲିର ଏକ ହକି ଷ୍ଟାଡିୟମକୁ ଭାରତୀୟ ମହିଳା ହକି ତାରକା ରାଣୀ ରାମପାଲଙ୍କ ନାମରେ ରଖାଯାଇଛି।

ସୋମବାର ରାଣୀ ରାମପାଲ ଏହି ଷ୍ଟାଡିୟମକୁ ଉଦଘାଟନ କରିଥିଲେ।
ରାୟବରେଲିର ମଡର୍ଣ୍ଣ ରେଳଡ଼ବା ଫ୍ୟାକ୍ଟ୍ରି ପରିସରରେ ଏହି ଷ୍ଟାଡିୟମର ନିର୍ମାଣ କରାଯାଇଛି। ଏହାର ନାମ ‘ରାନୀସ୍ ଗାର୍ଲସ ହକି ଟର୍ଫ’ ରଖାଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଏହି ଷ୍ଟାଡିୟମର ନିର୍ମାଣ କରାଯାଇଛି।
“ଭାରତୀୟ ରେଳବାଇ ମୋ ନାଁରେ ଷ୍ଟାଡିୟମର ନାମକରଣ କରିଥିବାରୁ ମୁଁ ବହୁତ ଖୁସି। ଏହା ମୋ ପାଇଁ ଗର୍ବର ବିଷୟ। ମୋ ଜୀବନର ଏହି ଖାସ ଉପଲବ୍ଧିକୁ ମୁଁ ଭାରତୀୟ ମହିଳା ହକି ଦଳକୁ ସମର୍ପିତ କରିବାକୁ ଚାହୁଁଛି। ଆଶା କରୁଛି ଭାରତୀୟ ରେଳବାଇର ଏହି ପଦକ୍ଷେପ ଭବିଷ୍ୟତରେ ମହିଳାମାନଙ୍କୁ ପ୍ରେରଣା ଦେବ”, କହିଛନ୍ତି ରାଣୀ ରାମପାଲ।
ରାଣୀ ରାମପାଲ ଭାରତୀୟ ମହିଳା ହକିର ଏକ ଜଣାଶୁଣା ନାଁ। ସେ ଭାରତ ପକ୍ଷରୁ ୨୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି। ଜଣେ ସଫଳ ଷ୍ଟ୍ରାଇକର ଭାବେ ସେ ନିଜ କ୍ୟାରିୟରରେ ଦେଇଛନ୍ତି ୧୩୪ଟି ଗୋଲ। ମାତ୍ର ୧୫ ବର୍ଷ ବୟସରେ ରାଣୀ ୨୦୧୦ ମସିହା ମହିଳା ହକି ବିଶ୍ଵକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ରାଣୀଙ୍କ ଗୌରବମୟ ହକି ଯାତ୍ରା।
ରାଣୀ ରାମପାଲ ୨୦୨୦ ଟୋକିଓ ଅଲିମ୍ପିକରେ ଭାରତୀୟ ମହିଳା ହକି ଦଳର ଅଧିନାୟକ ଥିଲେ। ତାଙ୍କ ନେତୃତ୍ଵରେ ଦଳ ପ୍ରଥମଥର ପାଇଁ ପ୍ରତିଯୋଗିତାର ସେମିଫାଇନାଲକୁ ଯାଇଥିଲା। ଏହାଛଡ଼ା ସେ ଏସିଆନ୍ ଗେମ୍ସ, ହକି ଚାମ୍ପିୟନ୍ସ ଟ୍ରଫି, ଏଫଆଇଏଚ୍ ମହିଳା ପ୍ରୋ ଲିଗ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି।
ହକି ଖେଳରେ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଏହାଛଡ଼ା ୨୦୨୦ ମସିହାରେ ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ମିଳିଥିଲା।

Leave a Reply

Your email address will not be published. Required fields are marked *