ଉତ୍ତରକାଶୀ: ଭାଇ, ମୁଁ ସୁଡ଼ଙ୍ଗରେ ଫସି ଯାଇଥିବା କଥା ମାଆକୁ କହିବ ନାହିଁ ବୋଲି ସୁଡ଼ଙ୍ଗ ମଧ୍ୟରୁ ଭାଇ ବିକ୍ରମ ସିଂହ ସହିତ କଥାବାର୍ତ୍ତା କରିବା ବେଳେ ପୁଷ୍କର ନାମରେ ଜଣେ ଶ୍ରମଜୀବୀ କହିଛନ୍ତି।
ସ୍ମରଣଯୋଗ୍ୟ, ରବିବାର ଦିନ ଉତ୍ତରାଖଣ୍ଡ ଅନ୍ତର୍ଗତ ଉତ୍ତରକାଶୀରେ ନିର୍ମାଣ ଚାଲିଥିବା ସିଲ୍କ୍ୟାରା ସୁଡ଼ଙ୍ଗ ପଥର କିଛି ଅଂଶ ଧସି ପଡ଼ିବାରୁ ୧୫୦ ଘଣ୍ଟାରୁ ଅଧିକ ସମୟ ହେବ ତା’ ମଧ୍ୟରେ ୪୧ଜଣ ଶ୍ରମିକ ଫସି ରହିଛନ୍ତି।
ସୂଚନାଯୋଗ୍ୟ, ୪୦ ଜଣ ଶ୍ରମଜୀବୀ ଫସି ରହିଛନ୍ତି ବୋଲି ପୂର୍ବରୁ କୁହାଯାଉଥିଲା। କିନ୍ତୁ, ତାହା ୪୦ ନୁହେଁ ୪୧ ବୋଲି ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ଧସି ପଡ଼ିଥିବା ଭଗ୍ନସ୍ତୂପ ଖୋଳି ପାଇପ୍ (ନଳ) ଯୋଗେ ଫସି ରହିଥିବା ଶ୍ରମିକମାନଙ୍କୁ ଶୁଷ୍କଫଳ (ଡ୍ରାଏ ଫ୍ରୁଟ୍ସ୍), ଔଷଧପତ୍ର ଯୋଗାଇ ଦିଆଯିବା ସହିତ ଯୋଗାଯୋଗ ମଧ୍ୟ ରକ୍ଷା କରାଯାଉଛି।
ବାୟୁ ଓ ଆଲୋକ ନ ଥିବା ଗୁହା ଭିତରେ ୬ ଦିନ ୬ ରାତି ବିତାଇ ଥିବା ୨୫ ବର୍ଷିୟ ଶ୍ରମଜୀବୀ ପୁଷ୍କର ଭାଇ ବିକ୍ରମଙ୍କୁ କ୍ଷୀଣ ସ୍ବରରେ କହିଲା, ମୁଁ ଭଲ ଅଛି। ଅନ୍ୟମାନେ ବି ଏଠାରେ ଅଛନ୍ତି। ସତ କଥା କହିଲେ ମା ଅଥୟ ହେବ।
ଭାଇ ସହିତ କଥା କହି ସାରିବା ପରେ ଚମ୍ପାବତ ଜିଲ୍ଲା ଅନ୍ତର୍ଗତ ଛାନିଗୋଠ ଗାଁର ବିକ୍ରମ ସକେଇ ସକେଇ କାନ୍ଦିଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି, ଶୁକ୍ରବାର ଦିନ ଅଳ୍ପ ସମୟ ପାଇଁ ତା’ ସାଙ୍ଗରେ କଥା କହିବାକୁ ସୁଯୋଗ ପାଇଲି। ତା’ର ପ୍ରଧାନ ଚିନ୍ତା ହେଲା ମାଆକୁ ବିବ୍ରତ ନ କରାଇବା।
କଥାବାର୍ତ୍ତା ହେବାକୁ ଆମକୁ ଅଳ୍ପ ସମୟ ମିଳିଥିଲା। ତେଣୁ, ତରବର ହୋଇ ମୁଁ ତାକୁ ତା’ର ଦେହପା’ କଥା ପଚାରିବା ସହିତ ବାହାରେ ଚାଲିଥିବା ଉଦ୍ଧାର ଅଭିଯାନ ବିଷୟରେ ସୂଚନା ଦେଲି। ସାନପୁଅ ହୋଇଥିବାରୁ ସେ ମାଆର ଅତି ଗେଲବସରିଆ ବୋଲି ବିକ୍ରମ କହିଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, କିଛି ଭାଙ୍ଗିପଡ଼ିବା ଭଳି ଭୀଷଣ ଶବ୍ଦ ଶୁଭିବାରୁ ଗତ ରାତି ୨.୪୫ରୁ ସୁଡ଼ଙ୍ଗ ପଥରେ ଭଗ୍ନସ୍ତୂପ ଉତ୍ଖନନ କାର୍ଯ୍ୟ ବନ୍ଦ ରଖାଯାଇଛି। ଜାରି କରିଥିବା ବିବୃତିରେ ‘ନ୍ୟାସ୍ନାଲ୍ ହାଇୱେଜ୍ ଆଣ୍ଡ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଡେଭ୍ଲପ୍ମେଣ୍ଟ୍ କର୍ପୋରେସନ୍ ଲିମିଟେଡ୍’ ଏ କଥା କହିଛି।