ମୁମ୍ବାଇ17/11/2023; ଚଳିତ ବିଶ୍ବକପରେ ଭାରତର ପ୍ରଦର୍ଶନ ଖୁବ ଭଲ ରହିଥିବାରୁ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଖେଳାଳିଙ୍କର ସବୁଆଡେ ପ୍ରଶଂସା କରାଯାଉଛି। ଗତକାଲି ଅର୍ଥାତ୍ ବୁଧବାର ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍କୁ ନେଇ ସମଗ୍ର ଦେଶରେ ଉତ୍ସାହ ରହିଛି। ଗତକାଲି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ସେମିଫାଇନାଲ ମ୍ୟାଚ୍ ବେଳେ ଭାରତ, ନ୍ୟୁଜିଲ୍ୟାଣ୍ଡକୁ ୭୦ରନରେ ପରାସ୍ତ କରି ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। ମ୍ଯାଚର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୫୦ ତମ ଶତକ। ନିଜର ୫୦ତମ ଶତକ ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଥିଲେ। ଏହି ସମୟରେ ବଲିଉଡ ଅଭିନେତା ରଣବୀର କପୁର ମଧ୍ୟ ତାଙ୍କ ଚଳଚ୍ଚିତ୍ର ‘ଆନିମଲ’ର ପ୍ରମୋସନ କରୁଥିବାର ଦେଖିବାକୁ ମିଳିଥିଲା। ଭାରତ ଜିତିବା ପରେ କ୍ରିକେଟ୍ ବିଷୟରେ ରଣବୀର ଅନେକ ଆଲୋଚନା କରିଥିଲେ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରିୟ କ୍ରିକେଟର ବୋଲି କହିବା ସହ ବିରାଟଙ୍କ ବାୟୋପିକ୍ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ରଣବୀର। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ବିରାଟ କୋହଲିଙ୍କ ବାୟୋପିକ୍ କରିବାକୁ ଚାହୁଁଛନ୍ତି କି? ଉତ୍ତରରେ ଅଭିନେତା କହିଥିଲେ, ବିରାଟ କୋହଲି ନିଜେ ଏତେ ସୁନ୍ଦର ଯେ ଯଦି ତାଙ୍କର ବାୟୋପିକ୍ କେବେ ତିଆରି ହୁଏ ତେବେ ସେ ନିଜେ ତାଙ୍କ ଚରିତ୍ର କରିପାରିବେ। ଅନେକ ବଲିଉଡ ଅଭିନେତାଙ୍କ ଅପେକ୍ଷା ବିରାଟ ବହୁତ ସ୍ମାର୍ଟ।
