ଫୋକସ ପ୍ଲସ(ରସୁଲପୁର)୦୯ /୦୮/୨୦୨୨:ବିଡ଼ିଓ ଙ୍କ ବିଦାୟୀ ସମ୍ବର୍ଦ୍ଧନା ବେଳେ କାନ୍ଦିଲେ ବିଡ଼ିଓ, ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ। ବିଡ଼ିଓ ଯିବା ସମୟରେ ସମସ୍ତେ ହୋଇଥିଲେ ଭାବବ୍ୟୋହଳ। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରେ। ବିଡ଼ିଓ ଙ୍କ ଅନ୍ୟତ୍ର ବଦଳି ଯୋଗୁଁ ତାଙ୍କୁ ବିଦାୟ ଦେବାବେଳେ ସେଠାରେ ଉପସ୍ଥିତ ସାଧାରଣ ଲୋକେ, ବ୍ଲକ କର୍ମଚାରୀ ଓ ସମ୍ପୃକ୍ତ ବିଡ଼ିଓ ଆଦି ସମସ୍ତେ କାନ୍ଦିଥିଲେ। ସୂଚନା ମୁତାବକ ଉମାକାନ୍ତ ପରିଡ଼ା ରସୁଲପୁର ବିଡ଼ିଓ ଭାବେ ୩ ବର୍ଷ ୮ ମାସ ଧରି କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ କୁ ବଦଳି ହୋଇଛି। ତେଣୁ ଆଜି ରସୁଲପୁର ବ୍ଲକରେ ନୂତନ ବିଡ଼ିଓ ଯୋଗଦେବା ପରେ ଶ୍ରୀ ପରିଡ଼ା ତାଙ୍କୁ କାର୍ଯ୍ୟଭାର ଦେଇ ବ୍ଲକରୁ ବିଦାୟ ନେଇଥିଲେ। ତେବେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଓ ଜନପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ପୂର୍ବତନ ବିଡ଼ିଓ ଉମାକାନ୍ତ ପରିଡ଼ା ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମସ୍ତେ ସମ୍ବର୍ଦ୍ଧିତ କରିଥିଲେ। ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓ ଙ୍କୁ କାନ୍ଧରେ ବସାଇ ଲୋକେ ବୁଲାଇଥିଲେ। ପରେ ବିଡ଼ିଓ ଯିବା ସମୟରେ ସମସ୍ତେ ଭାବବ୍ୟୋହଳ ହୋଇପଡ଼ିଥିଲେ। ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ ସମସ୍ତେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ତେବେ ଉମାକାନ୍ତ ପରିଡ଼ା ଜଣେ ଭଲ ମଣିଷ ସହ ଜଣେ ଦକ୍ଷ ସରକାରୀ ଅଧିକାରୀ ବୋଲି ସମସ୍ତେ କହିଛନ୍ତି। ବିଡ଼ିଓ ହେବ ତ ଉମାକାନ୍ତ ପରିଡ଼ା ଙ୍କ ଭଳି ବିଡ଼ିଓ ହେବା ଦରକାର ବୋଲି ଲୋକେ କହିଥିଲେ।
ରସୁଲପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ l