ଫୋକସ ପ୍ଲୁସ08/12/2023; ବାତ୍ୟା ମିଗଜୋମ୍ ତାଣ୍ଡବ ରଚିବା ପରେ ଇଏ ହେଉଛି ତା ପରର ଦୃଶ୍ୟ । ଯୁଆଡେ ଆଖି ବୁଲାଇବ ଚାରିଆଡେ ପାଣି ହି ପାଣି । ତଳିଆ ଅଞ୍ଚଳ ଠାରୁ ଆରମ୍ଭ କରି ବଡ ବଡ ଆପାର୍ଟମେଣ୍ଟ ସବୁଠି ଜଳମଗ୍ନ ହୋଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାସ୍ତା ନାଳ ସବୁ ଏକ ହୋଇଯାଇଛି । ଯିଏ ଯେଉଁଠି ସିଏ ସେଇଠି । ବାତ୍ୟା ମିଗଜୋମ୍ ପ୍ରଭାବରେ ଗତ କିଛିଦିନ ହେବ ପାଣି ଘେରରେ ପୁରା ଚେନ୍ନାଇ ସହର । ସହରରେ କେଉଁଠି ଦଶଫୁଟ ପାଣି ତ କେଉଁଠି କୋଡିଏ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହିଛି । ଅନେକ ଲୋକ ବାତ୍ୟା ପ୍ରଭାବରେ ଏବେ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଅନେକ NDRF ଟିମ୍ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି l ବିଶେଷ କରି ଗାଏଭ, ଛୋଟ ଛୁଆ ଓ ବୟସ୍କଙ୍କୁ ପ୍ରଥମେ ସୁରକ୍ଷିତ ଉଦ୍ଧାର କରାଯାଉଛି ।ଚେନ୍ନାଇ ସହର ରାସ୍ତାଘାଟ ସବୁ ଜଳମଗ୍ନ । ହେଲେ ଏହି ଉଦ୍ଧାର କାର୍ଯ୍ୟରେ ଜଣେ ଓଡିଆ ଯବାନଙ୍କ କମାଲ ଦେଖିବାକୁ ମିଳିଛି l ନିଜ ଜୀବନକୁ ବାଜିରେ ଲଗାଇ ପାଣିରୁ ଜୀବନ ଛାଣି ଆଣୁଛନ୍ତି ଯବାନ । ଯବାନ ଜଣଙ୍କ 10 ଦିନର ଶିଶୁକୁ ଧରି କିପରି ଜଳବନ୍ଦୀରୁ ଉଦ୍ଧାର କରୁଛନ୍ତି ତାହାର ଏକ ଫୋଟ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ଯବାନ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ସହରର NDRF ଚତୁର୍ଥ ବାଟାଲିୟନ କାର୍ଯ୍ୟରତ ଥିବା ରାଜେନ୍ଦ୍ର ଗନ୍ତାୟତ। ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସେଠାକାର ଲୋକେ କିପରି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେବେ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ ଜଣାଇଛନ୍ତି l ନିଜ ଟିମ୍ ସହ 25 ଫୁଟ୍ ପାଣି ଭିତରେ ପଶି ଲୋକଙ୍କୁ ଉଦ୍ଧାର କରୁଛନ୍ତି । କିପରି ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିବେ ସେଥିପାଇଁ ପୁରା ଚେଷ୍ଟା କରୁଛନ୍ତି ।
