ଫୋକସ ପ୍ଲସ(ତାଳଚେର)୨୪/୦୮/୨୦୨୨: ଅନୁଗୋଳରୁ ସରକାରୀ ସ୍ତରରେ ଚାଲୁଥିବା ଓଏସଆରଟିସି ବସ୍ ଗୁଡିକୁ ତାଳଚେର ବସ୍ଷ୍ଟାଣ୍ଡ ଓ ଆଭ୍ୟନ୍ତରିଣ ଅଂଚଳ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଆଲୋଚନା କରିବା ସହିତ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ଉପଖଣ୍ଡ ମଧ୍ୟରେ ରାଷ୍ଟ୍ରାୟତ ଉଦ୍ୟୋଗ ଖଣି ଖଦାନ ସହିତ ଅନେକ ସରକାରୀ ଓ ଘରୋଇ କଳାକାରଖାନା ଗଢ଼ି ଉଠଛି । ଯାହା ଫଳରେ ଦେଶ ଏବଂ ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ଧର୍ମର ଲୋକ ଏଠାକୁ ଆସି ଗୁଜୁରାଣ ମେଂଟାଇ ବସବାସ କରନ୍ତି । କିନ୍ତୁ ପରିବହନ ଓ ଗମନାଗମନ କ୍ଷେତ୍ରରେ ଅଂଚଳରେ ସେତେଟା ଅଗ୍ରଗତି ହୋଇପାରି ନାହିଁ । ଯାହା ଦ୍ୱାରା ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆସିବା କରିବା ବେଳେ ଜନସାଧାରଣ ନାହିଁ ନଥିବା ହଇରାଣ ହେବା ସହିତ ଅନାବଶ୍ୟକ ଖର୍ଚ୍ଚାନ୍ତ ହେଉଛନ୍ତି । ବର୍ତମାନ ସମୟରେ ଅନୁଗୋଳ ବସ୍ଷ୍ଟାଣ୍ଡ ମଧ୍ୟରେ ସୀମିତ ଥିବା ସରକାରଙ୍କ ଓଏସ୍ଆରଟିସି ବସ୍ ସେବା ତାଳଚେର ବସ୍ଷ୍ଟାଣ୍ଡ ଦେଇ ଯିବା ଆସିବା କରିବାର ସୁବ୍ୟବସ୍ଥା କରାଇଲେ ନିଶ୍ଚିତ ଭାବେ ଭାବେ ଏନ୍.ଟି.ପି.ସି./ଟିଟିପିଏସ୍, ଏମ୍.ସି.ଏଳ୍, ହେଭି ୱାର୍ଟର ପ୍ଲାଂଟ୍, ଜେଆଇଟିପିଏଲ୍, ଏଫ୍.ସି.ଆଇ. ଇତ୍ୟାଦି ଶିଳ୍ପାଚଂଳରେ ବସବାସ କରୁଥିବା ଲୋକ ଏବଂ ତାଳଚେର ଆଇ.ଟି.ଆଇ, ଇନ୍ଦିରା ଗାନ୍ଧି ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସରାଙ୍ଗର ଛାତ୍ରଛାତ୍ରୀ ସହିତ ସ୍ଥାନୀୟ ବାସିନ୍ଦା ଉପକୃତ ହେବେ । ରାଜସ୍ୱ କ୍ଷେତ୍ରରେ ସିଂହ ଭାଗ ତାଳଚେର ସରକାରଙ୍କୁ ଦେଉଥିଲେ ମଧ୍ୟ ତାଳଚେରବାସୀ କୌଣସି ସରକାରୀ ବସ୍ ସେବା ପାଇପାରିଲେ ନାହିଁ । ସବୁ ସରକାରୀ ବସ୍ ଗୁଡିକ ଅନୁଗୋଳ ବସ୍ଷ୍ଟାଣ୍ଡରୁ ଚାଲୁଅଛି । ଏହି ବସ୍ ଗୁଡିକ ତାଳଚେରକୁ ସଂପ୍ରସାରଣ ହେଲେ ଆଖପାଖ ଅଂଚଳ ଯଥା-ବ୍ଲକ ଓ ପୌରାଚଂଳ ସମେତ ରେଙ୍ଗାଳି, ପାଲଲହଡା, ପରଜଙ୍ଗ ଅଂଚଳର ଅଧିବାସୀ ଉପକୃତ ହେବା ସହିତ ରାଜଧାନ ଓ ଅନ୍ୟ ଜିଲ୍ଲାକୁ ଯିବା ଆସିବାରେ ସୁଗମ ହୋଇ ପାରିବ । ଲୋକଙ୍କ ଆବଶ୍ୟକତାକୁ ଧ୍ୟାନ ଦେଇ ଜିଲ୍ଲା ପ୍ରଶାସନ ବା ସରକାରଙ୍କ ତରଫରୁ ତାଳଚେର ଠାରେ ଏକ ଅତ୍ୟାଧୁନିକ ଓ.ଏସ୍.ଆର.ଟି.ସି. ବସ୍ଷ୍ଟାଣ୍ଡ ସ୍ଥାପନ କରିବାକୁ ଦାବୀ କରାଯାଇଛି । ଆଜିର ଦାବୀପତ୍ର ପ୍ରଦାନ ବେଳେ ସଭାପତି ଭୂପେନ୍ ଥମ୍ବ, ସାଧାରଣ ସଂପାଦକ ଦ୍ରୁମଦ ପ୍ରଧାନ, ସରୋଜ ଧର, ଅଭୟ ପାଣି, ଜିତେନ୍ଦ୍ର ମହାପାତ୍ର, ସଂଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
