ଫୋକସ ପ୍ଲସ 14/3/23(ବ୍ୟୁରୋ):
• ନାବାଳିକାଙ୍କ ଗତିବିଦ୍ଧି ଉପରେ ସନ୍ଦିଗ୍ଧଙ୍କ ନଜର……
• ପରିବାର ଲୋକେ ଆତଙ୍କିତ….
• ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…..
• ଝିଅର ସ୍କୁଲ ଯିବା ବନ୍ଦ….
• ପରିତ୍ୟକ୍ତ ସ୍ଥାନରେ ତନ୍ତ୍ରପୂଜାକୁ ନେଇ ବଢୁଛି ସନ୍ଦେହ…..
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ପଞ୍ଚାୟତ ରାଉତନୂଆଗାଁର ଏକ ବ୍ରାହ୍ମଣ ପରିବାର ଘର ଗ୍ରୀଲ ସମ୍ମୁଖରେ ପ୍ରତିଦିନ ରାତିରେ ଅଜଣା କଳାପୋଷାକଧାରୀ ସନ୍ଦିଗ୍ଧ ବ୍ୟକ୍ତି ଠିଆ ହେଉଥିବା ନେଇ ପରିବାର ମୁଖ୍ୟ ନାରାୟଣ ପାଣି ଥାନାରେ ଅଭିଯୋଗ କରିଛନ୍ତି।
ଘରେ ତାଙ୍କର ନାବାଳିକା ଝିଅ ସହ ସ୍ତ୍ରୀ ଅନିତା ପାଣି, ନାବାଳକ ପୁଅ ଏବଂ ଦୁଇ ଅବିବାହିତା ଭଉଣୀ ରହନ୍ତି।ଏଭଳି ଘଟଣା ଯୋଗୁଁ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋଲି ପାଣି କହିଛନ୍ତି।ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ନିକଟସ୍ଥ ଜଗତସିଂହପୁର ଥାନା ସମଙ୍ଗ ଗ୍ରାମର ମୃତ ନନ୍ଦାବ୍ରତ ନଦୀ ଉପରେ ଥିବା ଏକ ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ଏକ ଉଇ ହୁଙ୍କାକୁ ଗୁପ୍ତଧନ ପ୍ରାପ୍ତ ଆଶାରେ ମଧ୍ୟ ରାତ୍ରିରେ ଅଜଣା ତାନ୍ତ୍ରିକ ଜରିଆରେ ତନ୍ତ୍ରପୂଜା କରୁଥିବାର ପାଣି ଅଭିଯୋଗରେ ଦର୍ଶାଇଛନ୍ତି।
ଏଥିପାଇଁ କୁଆଡେ ଜଣେ ଅପ୍ରାପ୍ତ ବୟସ୍କା ବ୍ରାହ୍ମଣ କନ୍ୟା ଆବଶ୍ୟକ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବାର ସେ ଉଲ୍ଲେଖ କରିଛନ୍ତି।ଯେହେତୁ ସେ ବ୍ରାହ୍ମଣ ପରିବାର ଏବଂ ପ୍ରତିଦିନ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ଘର ସମ୍ମୁଖରେ ଛିଡାହେବା ଓ ଗ୍ରୀଲକୁ ବାଡେଇବା ନେଇ ତାଙ୍କ ମନେରେ ସନ୍ଦେହ ଦୃଢୀଭୂତ ହେଉଥିବାର ପ୍ରକାଶ କରିଛନ୍ତି।ଭୟରେ ଝିଅ ଏକ ସପ୍ତାହ ତଳୁ ସ୍କୁଲକୁ ଯାଉନଥିବା ବେଳେ ଗତକାଲି ଶିକ୍ଷକ ନିଜେ ଆସି ନିଜ ଦାୟିତ୍ବରେ ସ୍କୁଲ ନେଇ ଘରେ ଆଣି ଛାଡିଥିଲେ।ଘରେ ରହୁଥିବାରୁ ତାର ମାନସିକତା ଉପରେ ପ୍ରଭାବ ପଡୁଛି ବୋଲି ଶ୍ରୀ ପାଣି କହିଛନ୍ତି।ସ୍ଥାନୀୟ କେତେକ ବ୍ୟକ୍ତି ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖି ଗୋଡ଼ାଇବାରୁ ସେ ନମ୍ବର ବିହୀନ ବାଇକରେ ଫେରାର ହେଇଯାଉଥିବାର ପ୍ରକାଶ କରିଛନ୍ତି।ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚିତ କରିବା ପାଇଁ ଗ୍ରାମବାସୀ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।ଅନ୍ୟପକ୍ଷେ ପରିବାରକୁ ସୁରକ୍ଷା ପ୍ରଦାନ ସହ ଦୁର୍ବୁତ୍ତମାନଙ୍କୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାଣି ଅନୁରୋଧ କରିଛନ୍ତି।ଏ ସମ୍ପର୍କରେ ଥାନାରେ ଶନିବାର ସନ୍ଧ୍ୟାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ।
ଅଭିଯୋଗ ପରେ ପୋଲିସ କେସ ନଂ ୬୮/୨୩ରେ ମାମଲା ରୁଜୁ କରି ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାପାତ୍ର ଓ ଗ୍ରାମବାସୀ ଙ୍କ ସହାୟତା ରେ ଗତ ଦୁଇ ଦିନ ଧରି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି। ଏଥିସହିତ ଜଗତସିଂହପୁର ପୋଲିସ ସହିତ ମିଶି ସମଙ୍ଗସ୍ଥିତ ମୃତ ନନ୍ଦା ବ୍ରତ ନଦୀ ଶଯ୍ୟା ର ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ତନ୍ତ୍ରପୂଜା ହେଉଥିବା ଉଇଉଙ୍କାକୁ ଅନୁଧ୍ୟାନ କରିଛି।ଏସଆଇ ପିକେ ମଲ୍ଲିକ ଏହି କେସ୍ ର ତଦନ୍ତ କରୁଥିବା ବେଳେ ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି ବୋଲି ଏସଆଇ ଅନିଲ କୁମାର ସାହୁ କହିଛନ୍ତି।