ଫୋକସ ପ୍ଲସ(ରାଇରଙ୍ଗପୁର) ୧୨/୦୯/୨୦୨୨:ସହରାଞ୍ଚଳରେ ବର୍ଷାଜଳ ପ୍ରକଳ୍ପ ଯୋଜନାରେ ବର୍ଷାଜଳ ସଂରକ୍ଷିତ କରିବା ଏବଂ ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟମାନଙ୍କୁ କାମ ଯୋଗାଇଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଯୋଜନା ଅଭିଯାନରେ ଏହା ଅନ୍ତର୍ଭୁକ୍ତ କରାଯାଇ ମା’ମାନଙ୍କ ହାତକୁ କାମ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳରେ ଏହି ପ୍ରକଳ୍ପ ୧୫ଟି ଓ୍ଵାର୍ଡରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଥିଲା ।ହେଲେ ।ଏହି କାମଗୁଡିକ ରେ ବ୍ୟାପକ ଅନିୟମିତତା, ଦୁର୍ନୀତି ନିମ୍ନମାନର,ବିନା ସୂଚନା ଫଳକରେ ହୋଇଥିବା ଅଭିଯୋଗ ହୋଇଛି । ଅଧିକାଂଶ ପ୍ରକଳ୍ପରେ ସୂଚନା ଫଳକ ନାହିଁ ।ଅଟକିଛି ସ୍ଥାନରେ ଫଳକ ଭାଙ୍ଗି ମାଟିରେ ମିଶିଗଲାଣି । ନିମ୍ନମାନର କାମ ଯୋଗୁଁ ଅଧିକାଂଶ କାମ ଗୁଡିକ ଭାଙ୍ଗି ଧ୍ବଂସ ସ୍ତୁପ ରେ ପରିଣତ ହେଲାଣି ।ନିୟମ ଅନୁସାରେ ୫ ଫୁଟ ୮ ଇଞ୍ଚ ଗାତ ଖୋଳାସହ ୬ଟି ସିମେଣ୍ଟ ନନ୍ଦ ଲାଗିବା କଥା ହେଲେ କେଉଁ କେଉଁ ଗାତରେ ୨/୩ ଟି ନନ୍ଦ ପୁରାଇ ଆବଶ୍ୟକୀୟ ମାଟିରେ ପୋତି କାମ ସାରି ଦେଇ ବିଲ୍ ଉଠାଇ ନେଇଛନ୍ତି ।ନାମକୁ ମାତ୍ର ମହିଳା ଗୋଷ୍ଠୀଙ୍କୁ କାମ ଦିଆଯାଇଛି ।ହେଲେ ଏଠାରେ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ଜଳ ସଂଚୟ ଯାଗାରେ ଟଙ୍କା ସଂଚୟ କାମ ଚାଲିଛି । ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଅଳ୍ପ ସ୍ବଳ୍ପ ଭାଗ ଦେଇ କାମ ଗୁଡ଼ିକୁ ହାତେଇ ନିଜେ ସବୁ ନିମ୍ନମାନର କାମ କରି ବିଲ୍ ଉଠାଇ ନେଇଛନ୍ତି ।ମୋହରା ସାଜିଛନ୍ତି ମହିଳା ଗୋଷ୍ଠୀ । ମହିଳା ଗୋଷ୍ଠୀକୁ ଢାଲ କରି ମାଲେମାଲ ହେଉଛନ୍ତି ଯନ୍ତ୍ରୀ ଓ ତାଙ୍କର ଅନୁଗତ ଠିକାଦାର ।ଯନ୍ତ୍ରୀ ମଧ୍ୟ ତାଙ୍କ ଅନୁଗତ ମହିଳା ଗୋଷ୍ଠୀଙ୍କୁ କାମ ଦେଇ ତାଙ୍କ ଅନୁଗତ ଠିକାଦାରଙ୍କ ଜରିଆରେ ଉଦେଶ୍ୟ ପୂରଣ କରୁଛନ୍ତି । ଏହିସବୁ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ‘ମାସା ଆର୍ମୀ’ ,ବାମନଘାଟୀ ଶାଖା, ରାଇରଙ୍ଗପୁର ତରଫରୁ ଆଜି ମାସର ସଭାପତି ସୁନିଲ ସୋରେନ,ସଂପାଦକ ମାସାଙ୍ଗ୍ ହେମ୍ବ୍ରମ,ନଗର ସଭାପତି ରାମ ମୁର୍ମୁ ସାଂଗଠାନିକ ସଂପାଦକ ଜଗନ୍ନାଥ ମୁର୍ମୁ ପ୍ରମୁଖ ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଜିଲ୍ଲାପାଳଙ୍କୁ କାର୍ଯ୍ୟ ଗୁଡ଼ିକର ଭିଜିଲାନ୍ସ ତଦନ୍ତ ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।
