ବର୍ଷର ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ, ପାସ୍‌ ହାର ୯୪.୯୩%

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ । ଚଳିତ ବର୍ଷ ପାସ୍‌ହାର ରହିଛି ୯୪.୯୩% । ଏଥର ବି ବାଜିମାରିଲେ ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୧୮୧୨ ଛାତ୍ରଛାତ୍ରୀ A1 ଗ୍ରେଡ୍ ପାଇଛନ୍ତି । ୧୨ ହଜାର ୨୦୦ ଛାତ୍ରଛାତ୍ରୀ A2 ଗ୍ରେଡ୍ ପାଇଛନ୍ତି । ସେହିଭଳି ୩୮ ହଜାର ୮୩୧ ଛାତ୍ରଛାତ୍ରୀ B1 ଗ୍ରେଡ୍ ପାଇଛନ୍ତି ।

ଚଳିତ ବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ପାସ୍ କରିଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ୍‌ହାର ୯୪% ଓ ଝିଅଙ୍କ ପାସ୍‌ହାର ୯୬% ରହିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୯.୩୫% ରହିଛି । ସେହିଭଳି କୋରାପୁଟରେ ସର୍ବନିମ୍ନ ପାସ୍ ହାର ୯୨.୮୩% ରହିଛି । ୩୨୭୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।

ସନ୍ଧ୍ୟା ୬ଟା ପରେ ଓ୍ବେବସାଇଟ୍‌ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ବୋର୍ଡର ଅଫିସିଆଲ ୱେବସାଇଟ୍ http://bseodisha.ac.in ଏବଂ http://orissaresults.nic.in ରେ ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ । ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ୱେବସାଇଟ୍‌ରେ ଫଳାଫଳ ଜାଣିପାରିବେ ଛାତ୍ରଛାତ୍ରୀ ।

ରେଜଲ୍ଟ ଜନିତ ତ୍ରୁଟି ରହିଲେ ପରୀକ୍ଷାର୍ଥୀ ମାନେ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବେ । ଖୁବ୍‌ଶୀଘ୍ର ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ୫ରୁ ୧୬ ତାରିଖ ଭିତରେ ରିଚେକିଂ, ରିଆଡିସନ ପାଇଁ ଆବେଦନ କରିହେବ । ବିଜ୍ଞାନ ପରୀକ୍ଷାରେ ହୋଇଥିବା ତ୍ରୁଟି ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ । ୪ ନମ୍ବର ଗ୍ରେସ୍‌ ମାର୍କ ମିଳିବ ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ ।

Leave a Reply

Your email address will not be published. Required fields are marked *