ବଡଦାଣ୍ଡରେ ମହାପ୍ରଭୁଙ୍କ ସହ ଫଗୁ ଖେଳିଲେ ଭକ୍ତ

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ଭକ୍ତ:

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ସଂକୀର୍ତ୍ତନ ସହ ବେଦପାଠ। ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର‌ ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ସମସ୍ତ ବ୍ୟବସ୍ଥା । ତେବେ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରଫିଟା, ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ନାଭିକଟା ମଣ୍ତପକୁ ଦିଅଁ ବିଜେ କରିଥିଲେ । ମହାପ୍ରଭୁ ରାଜାଧିରାଜ ବା ସୁନାବେଶ ଏବଂ ନାଭିକଟା ମଣ୍ତପ ନୀତି ସମ୍ପନ୍ନ ହେବା ପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ । ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡ଼ଦାଣ୍ତ ଦେଇ ବିମାନ ଦୋଳବେଦୀରେ ପହଞ୍ଚିଥିଲା । ସେଠାରେ ଦୋଳବେଦୀର ତଳ ଓ ଉପର ଭାଗରେ ବିମାନ ସାତ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବିରାଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *