ଫୋକସ ପ୍ଲସ 23/4/23(ଗଞ୍ଜାମ): ଏକ ବୁଲା କୁକୁର ଅସୁସ୍ଥ ହୋଇ ବ୍ରହ୍ମପୁର ମହାନଗର ନିଗମ କମିସନରଙ୍କ ସରକାରୀ ବାସଭବନ ସମ୍ମୁଖରେ ଦୀର୍ଘ ସମୟ ଧରି ପଡ଼ିରହିଥିଲା। ଯାହାଫଳରେ କମିସନର ଘରୁ ବାହାରକୁ ବାହାରି ପାରିନଥିଲେ। ଏହାକୁ ନେଇ ସେ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ାଙ୍କୁ ଅବଗତ କରିଥଲେ। ଶ୍ରୀ ପରିଡା ତୁରନ୍ତ ପଶୁଧନ କାର୍ଯ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପଶୁ ଆମ୍ବୁଲାନ୍ସ ସେବା ନମ୍ବର ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ପାଇଁଁ ନଥିଲେ। ଫଳରେ ବାଧ୍ୟ ହୋଇ ସେ ନିଗମର ସାନିଟାରୀ ଇନ୍ସପେକ୍ଟର ଚନ୍ଦନ ପାତ୍ର ଓ ତାଙ୍କ ଟିମକୁ ଘଟଣା ସ୍ଥଳକୁ ପଠାଇ ଉକ୍ତ କୁକୁରଟିକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତା’ପରେ କମିଶନର ଘରୁ ବାହାରିବା ପାଇଁ ସକ୍ଷମ ହୋଇଥିଲେ। ଏହିପରି ଘଟଣା ବ୍ରହ୍ମପୁର ସହରରେ ବହୁବାର ଘଟି ଚାଲିଛି। ସୂଚନା ଥାଉ କି ଗତ କିଛିଦିନ ତଳେ ବ୍ରହ୍ମପୁର ଆମ୍ବ ମାର୍କେଟ ନିକଟ ମିନାକ୍ଷୀ ନଗର ଛକ ଠାରେ ପଡ଼ିଥିବା ଗୁରୁତର ଆହତ ବାଛୁରୀର ଚିକିତ୍ସା ହୋଇ ପାରୁନଥିବା ସୋସିଆଲ ମିଡିଆରେ ଖବର ପାଇ ମହାନଗର ନିଗମ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା ସାନିଟାରୀ ଇନ୍ସପେକ୍ଟର ଟିମକୁ ଘଟଣା ସ୍ଥଳକୁ ପଠାଇ ବାଛୁରୀକୁ ଗ୍ଲୁକୋଜ୍ ଏବଂ ଓ.ଆର୍.ଏସ୍. ପାଣି ବ୍ୟବସ୍ଥା କରିଥିଲେ ମଧ୍ୟ ବାଛୁରୀଟିର ଉଚିତ ଚିକିତ୍ସା ହୋଇ ପାରିନଥିଲା। ପରେ ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ତାର ଚିକିତ୍ସା ନିମନ୍ତେ ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ପକ୍ଷରୁ ପଶୁଙ୍କ ଚିକିତ୍ସା ନିମନ୍ତେ ଦିଆଯାଇଥିବା ଆମ୍ବୁଲାନ୍ସ ସେବା କାହାପାଇଁ ?। ଯେଉଁଠି ବ୍ରହ୍ମପୁରର ବରିଷ୍ଟ ପ୍ରଶାସକ ହାତ ଟେକି ଦେଉଛନ୍ତି ସେଠାରେ ଅନ୍ୟମାନଙ୍କ ଅବସ୍ଥା କିପରି ରହୁଛି ତାହା ବାକି ରହିଲା। ଦୁର୍ଭାଗ୍ୟ ଏଠାରେ ନେତାମାନେ କେବଳ ନିର୍ବାଚନ ଆସିଲେ ସବୁ କିଛି କରିପାରନ୍ତି, ତା’ପରେ …। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଟ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଓ ମେୟର ସଂଘମିତ୍ରା ଦଳାଇ ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରର ବହୁବିଧ ଉନ୍ନତି କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିପରି ସ୍ଥଳେ ଗଞ୍ଜାମ ଜିଲ୍ଲାର ଭାତ ହାଣ୍ଡି କୁହାଯାଉଥିବା ବ୍ରହ୍ମପୁର ସହରର ଯଦି ଏ ଦହନୀୟ ଅବସ୍ଥା ତାହେଲେ ଗଞ୍ଜାମ ଜିଲ୍ଲାର ଅବସ୍ଥା କିପରି ତାହା ଦେଖିବାକୁ ବାକି ରହିଲା ।
ପ୍ରାଣୀ ଧନ ବିଭାଗ କୋମାରେ: ନିଗମ କମିସନର
