ପ୍ରତିଶୋଧ ନେବା ପାଇଁ ଗର୍ଭବତୀଙ୍କୁ ଦୁଷ୍କର୍ମ

ଫୋକସ ପ୍ଲସ 16/3/23(ବ୍ୟୁରୋ): ସ୍ବାମୀଙ୍କ ଉପରେ ରହିଥିବା ରାଗକୁ କେନ୍ଦ୍ରକରି ଗର୍ଭବତୀ ପତ୍ନୀଙ୍କୁ ଦୁଷ୍କର୍ମ। ଏଭଳି ସ୍ପର୍ଶକାତର ଘଟଣା ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅଞ୍ଚଳରେ ଘଟିଛି। ଗୁରୁତ୍ବପୂର୍ଣ୍ଣ ହେ‌ଲା ଅଭିଯୁକ୍ତକୁ ଏଭଳି କୁକର୍ମ କରିବାକୁ ଅଭିଯୁକ୍ତର ପତ୍ନୀ ହିଁ ପ୍ରବର୍ତ୍ତାଇଥିଲା। ସ୍ବାମୀ ଦୁଷ୍କର୍ମ କରିବା ସମୟରେ ନିଜ ମୋବାଇଲ୍‌ରେ ତାହାକୁ ରେକର୍ଡ କରିଥିବା ଜଣାପଡ଼ିଛି। ପୋଲିସର ସୂଚନା ଅନୁସାରେ, ଗତ ଫେବୃଆରୀ ୨୮ ତାରିଖରେ ୫ମାସର ଗର୍ଭବତୀଙ୍କ ସହ ଏହି ଜଘନ୍ୟ ଘଟଣା ଘଟିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଆଳରେ ଅଭିଯୁକ୍ତ ଲେଲିଆ ରଞ୍ଜିକାରର ପତ୍ନୀ ତଥା ଆଶାକର୍ମୀ ପଦ୍ମା ରଞ୍ଜିକାର ପୀଡ଼ିତାଙ୍କୁ ଘରୁ ଡାକି ଆଣିଥିଲା। ହେଲେ, ପ୍ରତିଶୋଧ ନେବା ଲକ୍ଷ୍ୟରେ ତାଙ୍କୁ ବରଗାଁ ଛକରେ ଗାଡ଼ିରୁ ଓହ୍ଲାଇ ଦେଇଥିଲା ପଦ୍ମା। ସେଠାରେ ପୂର୍ବରୁ ବାଇକ ସହ ପ୍ରସ୍ତୁତ ରହିଥିବା ଅଭିଯୁକ୍ତ ଲେଲିଆ ସହ ମିଶି ନବରଙ୍ଗପୁର ନେଇଯାଇଥିଲା। ପୀଡ଼ିତା ଜଣକ ଅମଙ୍ଗ ହୋଇଥିଲେ ମଧ୍ୟ କିଛି ଶୁଣିନଥିଲେ ସ୍ବାମୀ-ସ୍ତ୍ରୀ, ଜୋର୍‌ଜବରଦସ୍ତ ଗାଡ଼ିରେ ବସାଇ ନେଇଯାଇଥିଲେ। ଏହାପରେ ଅଭିଯୁକ୍ତ ନିଜ ମାଉସୀ ଘରକୁ ନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ସେହିସମୟରେ ପଦ୍ମା ନିଜ ମୋବାଇଲରେ ଦୁଷ୍କର୍ମର ଭିଡିଓ ରେକର୍ଡ କରିଥିଲା।

ଜୀବନରେ ମାରିଦେବାକୁ ଧମକ ମିଳିବାରୁ କିଛିଦିନ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲେ ପୀଡ଼ିତା। ତେବେ, ଏହି ଘଟଣା ତାଙ୍କୁ ଏତେ ମାନସିକ ଆଘାତ ଦେଇଥିଲା ଯେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ଶ୍ବଶୁର ଘର ଲୋକେ ପହଞ୍ଚି ଯିବାରୁ ପୀଡ଼ିତାଙ୍କ ଜୀବନ ବଞ୍ଚି ଯାଇଥିଲା। ନିଜ ସହ ଗର୍ଭସ୍ଥ ଶିଶୁର ଜୀବନ ନେବାପଛର ସତ ପୀଡ଼ିତା କହିବାପରେ ପରିବାର ଲୋକଙ୍କ ହୋସ୍‌ ଉଡ଼ି ଯାଇଥିଲା। ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଦମ୍ପତିଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇ ଗତକାଲି ଖାତିଗୁଡା ଥାନାରେ ଏତଲା ଦେଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ଲେଲିଆ ରଞ୍ଜିକାର ଏବଂ ଅଭିଯୁକ୍ତର ପତ୍ନୀ ତଥା ଆଶାକର୍ମୀ ପଦ୍ମା ରଞ୍ଜିକାରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଦୁଷ୍କର୍ମ ଭିଡିଓ ରେକର୍ଡ ହୋଇଥିବା ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଥିବା ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *