ପୂରା ନକଲି ଦେଖିବାକୁ ଅସଲି: ଡିପ୍‌ଫେକ୍‌ ଭିଡିଓ କେମିତି ଜାଣିବେ |

ଡିପ୍‌ଫେକ୍ କ’ଣ?
ଡିପ୍‌ଫେକ୍ ହେଉଛି ଏକ ନକଲି ଭିଡିଓ, ଛବି କିମ୍ବା ଅଡିଓ ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ବ୍ୟବହାର କରି ପ୍ରସ୍ତୁତ କରାଯାଏ। ତାହା ଅବିକଳ ଅସଲି ଛବି, ଭିଡିଓ କିମ୍ବା ଅଡିଓ ଭଳି ଲାଗିବ। ସେଥିପାଇଁ ତାହାକୁ ଡିପ୍‌ଫେକ୍‌ (ଗଭୀର ନକଲି) କୁହାଯାଉଛି। ଏଭଳି ଭିଡିଓରେ ଅସଲି ଓ ନକଲି ଭିତରେ ତାରତମ୍ୟ ବାରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ। ଡିପ୍‌ଫେକ୍‌ରେ ଏଆଇ ପ୍ରଯୁକ୍ତିକୁ ବ୍ୟବହାର କରି ଯେକୌଣସି ବ୍ୟକ୍ତିଙ୍କ ରୂପ କିମ୍ବା ସ୍ୱରକୁ ଅନ୍ୟ ବ୍ୟକ୍ତିଙ୍କ ସ୍ୱର ସହିତ ମିଶାଇ ଦିଆଯାଇପାରୁଛି। ଜଣେ ବ୍ୟକ୍ତି ଡିପ୍‌ଫେକ୍ ଭିଡିଓରେ ଯାହା କହୁଛନ୍ତି କିମ୍ବା କରୁଛନ୍ତି ତାହା ସେ ବାସ୍ତବ ଜୀବନରେ କେବେ କରିନଥିବେ। କିନ୍ତୁ ଡିପ୍‌ଫେକ୍ ଭିଡିଓ ଦେଖୁଥିବା ବ୍ୟକ୍ତି ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଓ ସେହି ବ୍ୟକ୍ତି ଜଣକ ସେହି କାର୍ଯ୍ୟ କରିଛନ୍ତି ବୋଲି ସହଜରେ ବିଶ୍ବାସ କରିଯିବେ।

କିଭଳି ତିଆରି ହୁଏ ଭିଡିଓ?
ଏନ୍‌କୋଡର ଓ ଡିକୋଡର ନେଟ୍‌ୱର୍କର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି ଡିପ୍‌ଫେକ୍ ଭିଡିଓ। ଜେନେରେଟିଭ୍‌ ଆଡଭର୍ସିଆଲ୍ ନେଟ୍‌ୱର୍କ (ଜିଏଏନ୍‌)ରେ ଏହି ଦୁଇ ନେଟ୍‌ୱର୍କର ମିଶ୍ରଣ କରାଯାଇଥାଏ। ଏନ୍‌କୋଡର ନେଟ୍‌ୱର୍କରେ ଅସଲି ଭିଡିଓର ଚେହେରା ଓ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ଓ ଉପସ୍ଥାପନକୁ ଅନୁଶୀଳନ କରାଯାଏ। ତା’ପରେ ସେହି ତଥ୍ୟଗୁଡ଼ିକୁ ଡିକୋଡର ନେଟ୍‌ୱର୍କକୁ ପ୍ରଦାନ କରାଯାଏ। ସେହି ତଥ୍ୟ ଆଧାରରେ ଡିକୋଡର ନେଟ୍‌ୱର୍କ ଏକ ଭିଡିଓ ପ୍ରସ୍ତୁତ କରିଥାଏ। ଅସଲି ଭିଡିଓକୁ ଏପଟପେସଟ କରି ସେହି ଭିଡିଓ ତିଆରି କରାଯାଏ। ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ମନକୁ ପସନ୍ଦ ନଆସିବା ପର୍ଯ୍ୟନ୍ତ ସେ ସେଥିରେ ପରିବର୍ତ୍ତନ କରିପାରିବେ। ନକଲି ଭିଡିଓଟି ଯେଭଳି ଅବିକଳ ଅସଲି ଲାଗିବ ତାହାକୁ ନିଶ୍ଚିତ କରିବା ଲାଗି ପ୍ରତିଟି ସ୍ତରରେ ନିଖୁଣ ଭାବେ ପରିବର୍ତ୍ତନ କରାଯାଏ। ଜିଏଏନ୍ ନେଟ୍‌ୱର୍କରେ ଏକ ଜେନେରେଟର (ସୃଷ୍ଟିକାରୀ) ନେଟୱର୍କ ବ୍ୟବହାର କରି ଭିଡିଓ ତିଆରି କରାଯା‌ଏ। ସାମଞ୍ଜସ୍ୟ ଜାଣିବା ଲାଗି ଆଉ ଏକ ନେଟ୍‌ୱର୍କ ବ୍ୟବହାର କରାଯ‌ା‌ଏ ଯାହା ଅସଲି ଓ ନକଲି ଭିତରେ ଥିବା ପ୍ରଭେଦକୁ ଚିହ୍ନଟ କରିଥାଏ।
ଇଣ୍ଟରନେଟ୍‌ରେ ଅସଂଖ୍ୟ ଅଶ୍ଳୀଳ ଭିଡିଓ
ଡିପ୍‌ଫେକ୍‌କୁ ନେଇ ସବୁଠୁ ବଡ଼ ଚିନ୍ତା ହେଉଛି ଇଣ୍ଟରନେଟ୍‌ରେ ଘୁରି ବୁଲୁଥିବା ଅସଂଖ୍ୟ ଅଶ୍ଳୀଳ ଭିଡିଓ। ବିଶ୍ବର ବହୁ ପ୍ରମୁଖ ସେଲିବ୍ରିଟି ବିଶେଷ କରି ମହିଳା ସେଲିବ୍ରିଟିମାନଙ୍କ ନକଲି ଅଶ୍ଳୀଳ ଭିଡିଓ ବହୁ ବର୍ଷ ଧରି ଇଣ୍ଟରନେଟ୍‌ରେ ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନେ ସେବିଷୟରେ କିଛି ବି ଜାଣନ୍ତି ନାହିଁ। ପୂର୍ବରୁ ଏଭଳି ଅଶ୍ଳୀଳ ଭିଡିଓ ଥିଲା। ମାତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି ଉନ୍ନତ ହେବା ପରେ ତାହା ଆହୁରି ତ୍ବରାନ୍ବିତ ହୋଇଛି। ଭିଡିଓଗୁଡ଼ିକ ଏବେ ଅବିକଳ ଅସଲି ଲାଗୁଛି। ଏହା ଏକ ବହୁତ ବଡ଼ ବଜାର। ପାଞ୍ଚ ଡଲାର ଭଳି ଦାମ୍ ଅସୁଲ କରି ଏହି ଭିଡିଓଗୁଡ଼ିକୁ ଡାଉନ୍‌ଲୋଡ୍‌ କରିବା ସୁବିଧା ପ୍ରଦାନ କରାଯାଉଛି। ବିଶ୍ବର ଏଭଳି କୌଣସି ଚର୍ଚ୍ଚିତ ଅଭିନେତ୍ରୀ ଓ ସେଲିବ୍ରିଟି ନାହାନ୍ତି ଯେଉଁମାନେ ଏଥିରୁ ବାଦ ପଡ଼ିଛନ୍ତି।
ଆଇନ ଓ ଦଣ୍ଡ ବ୍ୟବସ୍ଥା କ’ଣ?
ଭାରତୀୟ ଅଭିନେତ୍ରୀମାନଙ୍କ ଡିପ୍‌ଫେକ ଭିଡିଓ ଦେଶରେ ଏବେ ଏକ ବଡ଼ ବିତର୍କ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ନକଲି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରହିଥିବା ଆଇନ ଓ ଦଣ୍ଡ ବ୍ୟବସ୍ଥାକୁ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ ରଶ୍ମିକା, କାଟ୍ରିନା ଓ କାଜଲଙ୍କ ଡିପ୍‌ଫେକ୍‌ ଭିଡିଓ ସାମ୍ନାକୁ ଆସିବା ପରେ ସେଲିବ୍ରିଟିମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଏବଂ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଡିପ୍‌ଫେକ୍‌ ଭିଡିଓ ତିଆରି ପାଇଁ ଆଇଟି ଆକ୍ଟ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇପାରିବ। ଭାରତୀୟ ନିୟମ ଅନୁଯାୟୀ ଡିପ୍‌ଫେକ ଭିଡିଓ ପ୍ରସ୍ତୁତ କରିବା ତଥା କାହାର ଫଟୋ କିମ୍ବା ଭିଡିଓକୁ ମର୍ଫ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଅପରାଧ ଅଟେ। ସୂଚନା ପ୍ରଯୁକ୍ତି ଅଧିନିୟମର ଧାରା ୬୬ଇ, ୬୭ଏ ଏବଂ ୬୭ବି ଅନୁଯାୟୀ ଏହା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇପାରିବ।
ଯଦି ସାଇବର ଠକେଇ କିମ୍ବା ବ୍ଲାକମେଲିଂ ଡିପ୍‌ଫେକ୍ ଭିଡିଓ ମାଧ୍ୟମରେ କରାଯାଇଥାଏ, ତେବେ ଆଇପିସିର ଧାରା ୫୦୬, ୫୦୩ ଏବଂ ୩୮୫ ଅନୁଯାୟୀ ମାମଲା ପଞ୍ଜିକୃତ ହେବ। ଭାରତରେ ଆଇଟି ଆକ୍ଟ ସେକ୍ସନ୍ ୬୬ ଏ ଅନୁଯାୟୀ, ଜଣେ ଡିପ୍‌ଫେକ୍‌ ଭିଡିଓ ତିଆରି କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରିବ। ତେବେ ଏଭଳି ଆଇନକୁ ନ୍ୟାୟପାଳିକା ଅସାମ୍ବିଧାନିକ ଘୋଷଣା କରିବା ନଜିର ରହିଛି। ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଏକ ଜରିମାନା ମଧ୍ୟ ଲାଗୁ କରାଯାଇପାରେ। ଯଦି କାହାର ଭାବମୂର୍ତ୍ତି କ୍ଷୁଣ୍ଣ ହୁଏ ତେବେ ମାନହାନି ମକଦ୍ଦମା ମଧ୍ୟ ଦାଏର କରାଯାଇପାରିବ। ଆଇଟି ନିୟମ ଅନୁଯାୟୀ ସୋସିଆଲ ମିଡିଆ କମ୍ପାନି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

 

Leave a Reply

Your email address will not be published. Required fields are marked *