ପାଠୁଆ ପୁଅର ଅପାଠୁଆ ବୁଦ୍ଧି

ଫୋକସ ପ୍ଲସ(ଛେଣ୍ଡିପଦା): ଏ ପୁଅ ଉଠୁ, ଏତେବେଳ ହେଲାଣି ଏଯାଏଁ ସୋଇଛୁ ।ତୋ ପାଇଁ କେତେ କଣ ରାନ୍ଧିକି ରଖିଛି, ତୋ ସାନ ଭଉଣୀ ପାଠ ପଢିକି ଆସୁ ମିଶିକି ଖାଇବ।ଦେଖୁନୁ ତୁ ରାଗିଛୁ ବୋଲି ତୋ ବାପା ବି ଏଯାଏଁ କିଛି ଖାଉନାଁହାନ୍ତି ।ଅବୁଝା ହଅନି ରେ, ମୋ ସୁନା ପୁଅଟା ।ସମସ୍ତେ କହୁଛନ୍ତି ମୁଁ କୁଆଡେ ପାଗଳ ହେଇଗଲିଣି ।ହେଲେ ସେମାନେ କଣ ଜାଣିବେ ଆମ ଘର କଥା ! ମୁଁ ଜାଣିଛି ମୋ ପୁଅ ମିଛଟାରେ ସୋଇଛି । ମୁଁ ପରା ମା ,ମୋ ଅବୁଝା ମନ କଣ ବୁଝୁଛି ।ଏଇ ମୋ ଛୁଆକୁ କୁଆଡେ ନେଇ ଯାଉଛ ।ତାକୁ ଟିକେ ଆଖି ପୁରେଇ ଦେଖିନିଏ ।ତାକୁ ଟିକେ ଗେଲ କରିବାକୁ ଦିଅ।

ଏମିତି କହି ପୁଅର ଶବକୁ ଜାବୁଡ଼ି ଧରି ମନ ଇଛା ଗାଳି କରୁଛି ମା । ଏଭଳି ଏକ ଦୁଃଖଦ ଖବର ସମଗ୍ର ଅନୁଗୁଳ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଓଗି ଗ୍ରାମର ଛାତ୍ର ଶୁଭ୍ରାଂଶୁ ଦେହୁରୀ (ପିପୁ) ଜେଇମେନ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୯.୩୪% ରଖି ସାରା ଜିଲ୍ଲା ପାଇଁ ଗୌରବ ଆଣିଥିଲେ ।ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବାକରିବାକୁ ମନ ବଳାଇଥିବା ଶୁଭ୍ରାଂଶୁ ଚେନ୍ନାଇରେ ରହି IIT ପାଠ ପଢୁଥିଲେ ।କିଛି ଦିନ ପୂର୍ବରୁ ପ୍ରଥମ ସେମିଷ୍ଟର ପରୀକ୍ଷାରେ ଗତଥର ଅପେକ୍ଷା ସାମାନ୍ୟ କମ ମାର୍କ ଥିବାରୁ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଶୁଭ୍ରାଂଶୁ ।୪/୫ ଦିନ ହେବ ମାନସିକ ସ୍ତରରେ ଦୁର୍ବଳ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଯାଇଥିଲେ ।ସେ ରହୁଥିବା ଚେନ୍ନାଇ ସ୍ଥିତ ହଷ୍ଟେଲରୁ ତାଙ୍କ ଝୁଲନ୍ତା ଶବକୁ ତାମିଲନାଡୁ ପୋଲିସ ଜବତ କରି ପରିବାର ବର୍ଗକୁ ହସ୍ତାନ୍ତର କରିଛି ।ତେବେ ପାଖରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ବେଳେ ମାନସିକ ଚାପରେ ଏଭଳି କରିଥିବା ସନ୍ଦେହ କରାଯାଉଛି ।ଏ ଖବର ଶୁଣିବା ପରେ ଏବେ ସାରା ଅଂଚଳରେ ଶୋକରଛାୟା ଖେଳିଯାଇଛି ।

ଛେଣ୍ଡିପଦାରୁ ଶକ୍ତିକାନ୍ତ ଦେହୁରୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *