ଫୋକସ ପ୍ଲସ(କାଲିମେଳା)୦୮/୦୯/୨୦୨୨: ତିନିମାସ ତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାର ଉନ୍ନତି କରଣ କାମ କରାଯାଇଥିଲା । ହେଲେ ଅତି ନିମ୍ନମାନର କାମ ଯୋଗୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି । ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠି ମୋରୁମ୍ ଦେଖାଗଲାଣି । ଏଥି ସହିତ ଅନେକ ମଝି ରାସ୍ତାରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।ରାସ୍ତା କାମକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଗ୍ରାମ୍ୟ ନିମାର୍ଣ ବିଭାଗ-୨ ପକ୍ଷରୁ ଏମଭି ୧୭ ଠାରୁ ଭାୟା କୃଷୁୱାଡା ପର୍ଯ୍ୟନ୍ତ ୩.୩୫ କିମି ପିଚୁରାସ୍ତା ଉନ୍ନତି କରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ମୋଟ ୩୧.୯୯ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇଥିଲା । ଏହି ଟେଣ୍ଡର ମାଲକାନଗିରି ର ଏକ ଜୈନିକ ଠିକା ସଂସ୍ଥା ହାତକୁ ଦିଆଯାଇଥିଲା। ହେଲେ ଏହି ରାସ୍ତା କାମ ଏତେ ନିମ୍ନ ମାନର କରାଯାଇଛି ଯେ ରାସ୍ତା ସାରା ଫାଟ ସୃଷ୍ଟି ହେବା ସହ ରାସ୍ତା ଉପରୁ ପିଚୁ ସବୁ ଉଠିଗଲାଣି । ଏହି ରାସ୍ତାଦେଇ ଭାରି ଯାନ ବାହାନ ନ ଯାଇ ଯୋଦି ରାସ୍ତା ସବୁ ନଷ୍ଟ ହୋଇଗଲାଣି ତେବେ ଭାରି ଯାନ ଗଲେ ରାସ୍ତାର ଅବସ୍ଥା କଣ ହେବ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ କରିବା ସହିତ କେବଳ ଅଧା ରାସ୍ତା ତିଆରି ହୋଇଛି ବାକି ରାସ୍ତା କାହିଁକି ତିଆରି ହୋଇନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପୁରୁଣା ରାସ୍ତା ଉପରେ ଅଳ୍ପ ପରିମାଣର ପିଚୁ ଦିଆଯାଇ ରାସ୍ତା କାମ ସାରି ଦିଆଯାଇଥିବାର ଅଭିଯୋଗ ହୋଇଛି । ଯାହା ଗୋଡ଼ରେ ଆଡ଼େଇ ଦେଲେ ଉଠି ଯାଉଛି । ଏପରି ନିମ୍ନମାନର କାମ କରାଯାଇ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଛି ବୋଲି କୁହାଯାଉଛି । ଏ ନେଇ ଗ୍ରାମ୍ୟ ନିମାର୍ଣ ବିଭାଗ-୨ ର ଯନ୍ତ୍ରୀ ବାବୁଙ୍କୁ ଆମ ପ୍ରତିନିଧି ଫୋନ ମାଧ୍ୟମରେ ସମ୍ପର୍କ କରୀ ମାଲକାନଗିରି ଅଫିସ କୁ ପହଂଚିଥିଲେ l କିନ୍ତୁ ଯନ୍ତ୍ରୀ ବାବୁ ଜଣକ ଆମ ପ୍ରତିନିଧି ପହଂଚିବା ପୂର୍ବରୁ କାମ ଅଛି କହି କେଉଁ ଆଡକୁ ଚାଲିଯାଇଥିଲେ |
