ଫୋକସ ପ୍ଲସ ୨୨/୧/୨୩(ବ୍ୟୁରୋ):ଭାରତ ବୁଡୁଛି । ହଁ ଆଜ୍ଞା, ଆମେ ସ୍କୁଲ କଲେଜରେ ଭାରତର କ୍ଲାଇମେଟକୁ ନେଇ ଯାହା ପଢିଥିଲେ ତାର ପ୍ରମାଣ ଦେଖିବାକୁ ମିଳିଛି ଯୋଶୀମଠରେ । ଯୋଶୀମଠ ଉତ୍ତରାଖଣ୍ଡର ଏକ ଛୋଟ ସହର, ଯେଉଁଠି ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଏବେ ଏହା ଧିରେଧିରେ ଧସେଇବାରେ ଲାଗିଛି । ଲୋକମାନଙ୍କ ଘରେ ଘରେ ବଡବଡ ଫାଟ ଦେଖାଯାଉଛି । ତେବେ ଏହାର ୱାର୍ଣ୍ଣିଙ୍ଗ ୪୬ ବର୍ଷ ପୂର୍ବରୁ ଅର୍ଥାତ ୧୯୭୬ ମସିହାରୁ ହିଁ ଦିଆଯାଇଥିଲା । ଏତେ ବର୍ଷ ହେବ ସରକାର ବଦଳି ଚାଲିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଇ ନଥିଲେ । ଯାହାର ଫଳସ୍ୱରୂପ ଆଜି ଏହି ଘଟଣା ଘଟୁଛି । ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ରହିଛି ଯୋଶୀମଠ । ୧୮୭୫ ମିଟର ଉଚ୍ଚରେ ଅବସ୍ଥିତ ଛୋଟ ସହର । ତେବେ ଯୋଶୀମଠକୁ ଜ୍ୟୋତିର୍ମଠ ମଧ୍ୟ କୁହାଯାଏ । ଏଠାକୁ ଲୋକମାନେ ବଦ୍ରିନାଥଙ୍କ ଦର୍ଶନ ପାଇଁ ମଧ୍ୟ ଆସିଥାନ୍ତି । ୨୦୨୧ ମସିହାରେ ଏଠାରେ ଜୋରରେ ବର୍ଷା ହେବା ଫଳରେ ବନ୍ୟା ଆସିଥିଲା । ଏହାପରେ ଧିରେ ଧିରେ ସେଠାକାର ଘରମାନଙ୍କରେ ଏଭଳି ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ଏହାପରେ ସରକାର ଏକ ସର୍ଭେ କରି ଅନେକ ବିଲ୍ଡିଙ୍ଗକୁ ଅସୁରକ୍ଷିତ ଘୋଷଣା କରିଥିଲେ । ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଥିଲେ ମଧ୍ୟ ଏଠାରେ ୫ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ କନଷ୍ଟ୍ରକସନ କାମ ଚାଲୁ ରହିଥିଲା । ଯାହାଫଳରେ ଏଭଳି ପରିସ୍ଥିତି ଉପୁଜିଥିବା କେତେକ ପରିବେଶବିତମାନେ କହିଛନ୍ତି । ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ୨ବର୍ଷ ମଧ୍ୟରେ ଏହି ଜାଗା ଅଢେଇ ମିଟର ଧସେଇ ଯାଇଥିବା ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି, ପୂର୍ବରୁ ଏସବୁ କଥା ଜାଣିଥିଲେ ମଧ୍ୟ ଏନେଇ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା କାହିଁକି । ତେବେ କେବଳ ଯୋଶୀମଠ ନୁହେଁ, ଭବିଷ୍ୟତରେ ଆମ ଦେଶରେ କ୍ଲାଇମେଟ ଚେଞ୍ଜର ଆହୁରି ଭୟଙ୍କର ପ୍ରଭାବ ପଡିବାକୁ ଯାଉଛି । ଧିରେ ଧିରେ ଜଳସ୍ତର ବଢିବା ଯୋଗୁ ମୁମ୍ବାଇ, କୋଚି, ଚେନ୍ନାଇ, ବିଶାଖାପାଟନମ ଭଳି ସହର ଧିରେଧିରେ ବୁଡିବାକୁ ଲାଗିବ । ଆଉ ଏଭଳି ଘଟଣା ଆଗାମୀ ୫୦୦ ବର୍ଷରେ ନୁହେଁ, ବରଂ ଆଗାମୀ ୫୦ବର୍ଷ ଭିତରେ ହେବାକୁ ଯାଉଛି । ଆଜି ପାକିସ୍ତାନର ଇକୋନୋମି କେବଳ ଗୋଟିଏ ବନ୍ୟା ପାଇଁ କୋଲାପ୍ସ ହେବାକୁ ବସିଛି । ଭବିଷ୍ୟତରେ ଯଦି ଆମକୁ ଭାରତକୁ ଏଭଳି ସମସ୍ୟାରୁ ରକ୍ଷା କରିବାର ଅଛି ତେବେ ଯୋଶୀମଠ ଘଟଣାକୁ ଏକ ସତର୍କ ଘଂଟି ଭାବରେ ଗ୍ରହଣ କରିବା ପଡିବ । ଏବଂ ଏଥିପ୍ରତି ସମୟ ଥାଉଥାଉ କୌଣସି କଠୋର ପଦକ୍ଷେପ ନେବାକୁ ପଡିବ ।
ଧସୁଛି ଯୋଶୀମଠ ,ବୁଡ଼ୁଛି ଭାରତ |
