ଭୁବନେଶ୍ବର : ପୁଣି ରାଜ୍ୟ କଂଗ୍ରେସର ପୁରୁଣା ଖୋଇ ଆରମ୍ଭ ହୋଇଛି। କିଛିଦିନ ପରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସରେ ବିଭୀଷଣ ଥିବା ମନ୍ତବ୍ୟ ଦେଇଥିଲେ। କଂଗ୍ରେସ ମୁଖିଆଙ୍କ ବିଭୀଷଣ ମନ୍ତବ୍ୟକୁ ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ନାପସନ୍ଦ କରିଛନ୍ତି। ପିସିସି ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୋକିମ ଶୃଙ୍ଖଳା କମିଟିକୁ ଚିଠି ଲେଖିଛନ୍ତି। ଏହାକୁ ନେଇ ଦଳରେ ଆରମ୍ଭ ହୋଇଛି କନ୍ଦଳ। ଆଜି ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭକ୍ତଙ୍କୁ ଘେରିଛନ୍ତି।
ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହାରିବା ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପିସିସି ସଭାପତି ଶ୍ରୀ ଦାସ ବିଜେଡି ଓ ବିଜେପି ପରି କଂଗ୍ରେସରେ କିଛି ବିଭୀଷଣ ଥିବା ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ କିଛି ବରିଷ୍ଠ ନେତା ଗ୍ରହଣ କରିଥିବା ବେଳେ ଆଉ କିଛି ନେତା ଗ୍ରହଣ କରିବାକୁ ନାରାଜି। ପିସିସି ସଭାପତି ପଦରେ ରହି ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି ଅଭିଯୋଗ ଆସିଛି। ଏନେଇ ମହମ୍ମଦ ମୋକିମ ଶୃଙ୍ଖଳା କମିଟିର ଦ୍ବାରସ୍ଥ ହୋଇଛନ୍ତି। ମୋକିମ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ, ନୂଆପଡ଼ାରେ ବିଜେପି ପ୍ରାର୍ଥୀଙ୍କଠାରୁ କଂଗ୍ରେସ ପ୍ରାର୍ଥୀ ବହୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏଥିପାଇଁ ପିସିସି ସଭାପତି ନିଜକୁ ଦାୟୀ କରିବାର ଆବଶ୍ୟକତା ରହିଛି। ଅଥଚ ଶ୍ରୀ ଦାସ ବିନା ତଥ୍ୟ ଆଧାରରେ ମୋତେ ନେଇ ବିଭୀଷଣ ମନ୍ତବ୍ୟ ଦେଇଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିନା ତଥ୍ୟରେ ଏଭଳି ମନ୍ତବ୍ୟ ଠିକ ନୁହେଁ। ବିଭୀଷଣକୁ ନେଇ ଦଳରେ ବିଶୃଙ୍ଖଳା ତେଜିଥିବା ବେଳେ ପୂର୍ବତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ଦଳରେ ଯଦି ବିଭୀଷଣ ଅଛନ୍ତି ତେବେ ରାବଣ କିଏ। ବିଭୀଷଣ ଯଦି ଚିହ୍ନଟ ହେବେ ତେବେ ରାବଣ ଚିହ୍ନଟ ହେବା ଦରକାର। ଘର ଠିକ୍ ନଥାଇ ବାହାର ଲୋକଙ୍କୁ ଦାୟୀ କରିବା ଠିକ୍ ନୁହେଁ। ଦଳୀୟ ନେତାଙ୍କ କ’ଣ ଭୁଲ ଅଛି ତାହା ଆଗେ ଜାଣିବା କଥା। ବଡ଼ ଠାରୁ ଛୋଟ ନେତା ସମସ୍ତେ ଜାଣିବା ଦରକାର। ଯଦି କିଏ ବିଭୀଷଣ ଥାଆନ୍ତି ପିସିସି ସଭାପତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ନହେଲେ ଦଳରେ ଶୃଙ୍ଖଳା ରହିବ ନାହିଁ। ନୂଆପଡ଼ା ସହ କଟକ ହିଂସାକୁ ଯୋଡ଼ିବା ଉଚିତ ନୁହେଁ। କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ। ପିସିସି ସଭାପତି ପରିଶ୍ରମ କଲେ, ଆମେ ମଧ୍ୟ ନୂଆପଡ଼ା ଗଲୁ, ହେଲେ କଂଗ୍ରେସର ପରାଜୟ ହେଲା କାହିଁକି ତାହାର ସମୀକ୍ଷା ହେବା ଆବଶ୍ୟକ।
