ଫୋକସ ପ୍ଲସ 11/3/23(ବ୍ୟୁରୋ): ତୁର୍କୀ ଏବଂ ସିରିଆରେ ତାଣ୍ଡବ ରଚିଥିଲା ଭୂମିକମ୍ପ । ଏହି ଭୟଙ୍କର ଘଟଣା ମନରୁ ନଲିଭୁଣୁ । ଏନ୍ଆରଏସ୍ସି ପକ୍ଷରୁ ଏକ ଚିନ୍ତା ଜନକ ରିପୋର୍ଟ ଆସିଛି । ଏଥିରେ କୁହାଯାଇଛି କି ଦେଶରେ ୧୪୭ ଜିଲ୍ଲାରେ ରହିଛି ଭୂକମ୍ପ ଜୋନ୍ । ଭାରତରେ ଉତ୍ତରା ଖଣ୍ଡ ରାଜ୍ୟର ୧୩ ଜିଲ୍ଲାକୁ ଭୂକମ୍ପ ଭୟ ରହିଛି । ଇସ୍ରୋର ହାଇଦ୍ରାବାଦ ସ୍ଥିତ ନେସନାଲ ରିମୋଟ ସେନସିଂ ସେଣ୍ଟର ଘଜଝଉ ପକ୍ଷରୁ ହୋଇଥିବା ସର୍ଭେରୁ ଏଭଳି ସୂଚନା ମିଳିଛି । ଏଥିସହ ଇସ୍ରୋ ପକ୍ଷରୁ ଭୂକମ୍ପ ଜୋନରେ ଥିବା ଦେଶର ସମ୍ବେଦନଶୀଳ ୧୪୭ଟି ଜିଲ୍ଲାର ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାର ଟପ୍ ଦୁଇ ପୋଜିସନରେ ରହିଛି ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗ ଏବଂ ଟହରି ଜିଲ୍ଲା । ସେହିପରି ୧୯ତମ ସ୍ଥାନରେ ରହିଛି ଚୌମେଲି ଜିଲ୍ଲା ।
ଯୋଶୀମଠ ଦବିଯିବା କାରଣରୁ ୬ଶହରୁ ଅଧିକ ଘରେ ହୋଇଥିଲା ଫାଟ । ପାହାଡ଼ ଉପରେ ଥିବା ଏହି ସହର ଦବିବା ପରେ ଏହାର କାରଣ ଖୋଜିଥିଲେ ସରକାର । କାହିଁକି ଦବିଲା ଯୋଶୀମଠ ଆଉ କେଉଁ ସହରକୁ ବିପଦ ରହିଛି କି । ଭୂକମ୍ପ ଜୋନରେ ଦେଶର କେଉଁସବୁ ଅଞ୍ଚଳ ରହିଛି ତାହା ଜାଣିବା ଲାଗି ଇସ୍ରୋ ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିଲା । ଘଜଝଉ ପକ୍ଷରୁ ହୋଇଥିବା ଏହି ସର୍ଭେରେ ଜଣାପଡ଼ିଥିଲା, ପୁରା ଉତ୍ତରାଖଣ୍ଡ ସମେତ ଦେଶର ଏମିତି ୧୪୭ଟି ଅଞ୍ଚଳ ପ୍ରତି ବିପଦ ରହିଛି । ସେଥିରେ ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, କେରଳ, ଆସାମ ଆଦି ରାଜ୍ୟ ରହିଛି । ସବୁଠୁ ଅଧିକ ବିପଦ ରହିଛି ଦେବଭୂମି ଉତ୍ତରାଖଣ୍ଡ ପ୍ରତି । ଲ୍ୟାଣ୍ଡସ୍ଲାଇଡ୍ ଆଟଲାସ ଅନୁସାରେ ଭୂକମ୍ପ ଦୃଷ୍ଟିରେ ସମ୍ବେଦନଶୀଳ ଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ରଜୌରୀ ଏବଂ ପୁଲୱାମା, କେରଳର ତ୍ରିଶୂର, ମଲ୍ଲପୁରମ, ସିକିମର ଦକ୍ଷିଣ ସିକିମ ଏବଂ ପୂର୍ବ ସିକିମ । ଇସ୍ରୋର ଲ୍ୟାଣ୍ଡସ୍ଲାଇଡ୍ ଆଟଲାସ ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲାର ନାଁ ଉଲ୍ଲେଖ ରହିନାହିଁ । ତଥାପି ଓଡ଼ିଶାର ତାଳଚେର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, କଟକ, ଭୁବନେଶ୍ୱର ଆଦି ଅଞ୍ଚଳ ଭୂକମ୍ପ ଜୋନରେ ରହିଛି । ଏଥିସହ ମହାନଦୀ ଅବବାହିକା ଏବଂ ବୌତରଣୀ ନଦୀକୂଳିଆ ଅଞ୍ଚଳ ପ୍ରତି ଭୂକମ୍ପ ଆଶଙ୍କା ଥିବା ଭୂତତ୍ୱବିତମାନେ କହିଛନ୍ତି ।