ଜାଗରରେ ଚଳ ଚଂଚଳ ହେବ ଶ୍ରୀଲୋକନାଥ ପୀଠ

ଫୋକସ ପ୍ଲସ 12/02/2023( ବ୍ୟୁରୋ):ଏଥର ଜାଗରରେ ସଜେଇ ହେଲାଣି ଶ୍ରୀ ଲୋକନାଥ ପୀଠ |ଭୋର ୩ଟା ପରେ ଉଠିବ ମହାଦୀପ ଏବଂ ଭୋର ୪ଟାରୁ ପ୍ରଭୁଙ୍କ ଦର୍ଶନ ମିଳିବ | ପ୍ରସିଦ୍ଧ ପ୍ରଭୁ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ ହୋଇସାରିଛି । ଦିନରେ ଉପବାସ ରହି, ରାତିରେ ଅଖଣ୍ଡ ଦୀପ ଜାଳିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ସେଇ ପ୍ରତିକ୍ଷିତ ମୁହୂର୍ତ୍ତକୁ ଚାହିଁରହିଛନ୍ତି। ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ପଙ୍କୋଦ୍ଧାର ଏକାଦଶୀଠାରୁ ନେଇ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ତେବେ ଆସନ୍ତା ୧୬ ତାରିଖ ଗୁରୁବାର ପଙ୍କୋଦ୍ଧାର ଏକାଦଶୀରେ ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦର୍ଶନର ସୁବିଧା ମିଳିବ। ବର୍ଷକରେ ଏଇ ଗୋଟିଏ ଦିନ ପ୍ରଭୁ ଶ୍ରୀଲୋକନାଥଙ୍କ ଦର୍ଶନ ମିଳୁଥିବାରୁ ଏକାଦଶୀ‌ରେ ମଧ୍ୟ ଜାଗରପଦା ଲୋକାରଣ୍ୟ ହେବ। ସେହିପରି ଆସନ୍ତା ୧୮ ତାରିଖ ଶନିବାର ଜାଗରଦିନ ରାତି ସାଢ଼େ ୧୨ଟାରେ ଦ୍ବାର ଖୋଲିବା ପରେ ଭୋର୍‌ ୪ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାତି ୨ଟାରୁ ୩ଟା ବଡ଼ସିଂହାର ବେଶ ସହ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଜାଗର ଦିନ ଶ୍ରୀଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ସମ୍ପାଦନ କରି ରାତି ସାଢ଼େ ୧୧ଟାରେ ଶ୍ରୀଲୋକନାଥ ମନ୍ଦିର‌ରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିରହୋଇଛି। ଏଥର ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ଦିର, ପାର୍ବତୀ ସାଗର ଚତୁଃପାର୍ଶ୍ବ ସଫେଇ ସହ ରଙ୍ଗ କରାଯାଉଛି। ଭକ୍ତମାନେ ଧାଡ଼ିବାନ୍ଧି ଯିବା ପାଇଁ ଶୌଚାଳୟଠାରୁ ଶ୍ରୀଲୋକନାଥ ମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଉଛି |

Leave a Reply

Your email address will not be published. Required fields are marked *