ଗଞ୍ଜାମ: ଅଖିଳ ଭାରତ କୃଷକ ସଭା ପକ୍ଷରୁ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡଠାରେ ଜିଲ୍ଲାସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଆଇକେଏସ୍ର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରାଯିବା ସହ ତୁରନ୍ତ ଦାବିଗୁଡିକ କାର୍ଯ୍ୟକାରୀ କରିବାକୁ କୃଷକ ସଭାର ନେତା ଓ କର୍ମକର୍ତ୍ତାମାନେ ଦାବି କରିଥିଲେ। ଚାଷୀଙ୍କ ସମସ୍ୟା ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାର ସମସ୍ତ ଚାଷ ଜମିକୁ ଜଳ ସେଚନ ସୁବିଧା କରିବା, ମରୁଡ଼ିର ସ୍ଥାୟୀ ପ୍ରତିକାର, ଚଳିତ ମରୁଡ଼ିର ପରିସ୍ଥିତିର ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ, ଚାଷୀଙ୍କ ଉପରୁ ସମସ୍ତ କୃଷୀ ଋଣ ଛାଡ କରିବା, ବିଦ୍ୟୁତ୍ ଦେୟ ଛାଡ କରିବା, ପଞ୍ଜିକୃତ ଚାଷୀଙ୍କ ସମସ୍ତ ଧାନ ମଣ୍ଡିରେ କ୍ରୟ ଆଦି ଦାବି କରାଯାଇଥିଲା। ଚାଷୀ ମାନେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋୟରବସ ଷ୍ଟାଣ୍ଡଠାରେ ସଭା କରିଥିଲେ। ଚାଷୀ ନେତାମାନେ ଚାଷୀଙ୍କ ସମସ୍ତ ଦାବି ପୂରଣ ପାଇଁ ଦାବି କରିଥିଲେ। ଏଆଇକେଏସର ସର୍ବ ଭାରତୀୟ ଉପସଭାପତି ଆଶିଷ କାନୁନ୍ ଗୋ, ଜିଲ୍ଲା ସଂଗଠନ ସମ୍ପାଦକ ନୀଳକଣ୍ଠ, କୃଷକ ନେତା ଶ୍ରୀହର୍ଷ ରଥ, ରଙ୍କନାଥ ସ୍ୱାଇଁ, ଗୁରୁନାଥ ପ୍ରଧାନ, କାମଦେବ ନାହାକ, ଜନାର୍ଦ୍ଦନ ରେଡ୍ଡୀ, ମଧୁରା ସୁବୁଦ୍ଧି, ସିମାଞ୍ଚଳ ସାହୁ ସମେତ ବହୁ କୃଷକ ନେତା ଓ ଚାଷୀ ଉପସ୍ଥିତ ଥିଲେ।
