ଜରାଜୀର୍ଣ୍ଣ ଅବସ୍ଥାରେ ବିଜୁଙ୍କ ନିର୍ମିତ କଲୋନୀ

ଫୋକସ ପ୍ଲସ(ବଡ଼ଚଣା)୦୬/୦୮/୨୦୨୨ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନିର୍ଦ୍ଦେଶ ରେ ନିର୍ମିତ କଲୋନୀ ଏବେ ଜରାଜୀର୍ଣ୍ଣ ଆଉ ସେଠାରେ ବସବାସ କରୁଥିବା ଆଦିବାସୀ ସବର ଏବେ ଅବହେଳିତ ଓ ବେସାହାରା ହୋଇପଡିଛନ୍ତି l ରାଜ୍ଯ ସରକାର ଙ୍କ ଯୋଜନା ଉପରେ ଯୋଜନା ହେଲେ ପହଁଚି ପାରୁନି ଏମାନଙ୍କ ପାଖରେ I ୧୯୬୨ ମସିହା ସେତେବେଳେ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଥିବା ୩୦ ରୁ ଅଧିକ ଶବର ପରିବାର ଙ୍କୁ ଟାଇଲି ଛପର ଘର ନିଆଁ କୁ ନ ଥାଏ ଡର ଉକ୍ତିରେ ଟାଇଲି ଘର ବିଜୁ ବାବୁ ଯୋଗାଇ ଦେଇଥିଲେ l ଭଙ୍ଗା ଦଦରା ଘରେ ରହି ଆସୁଥିବା ୩୦ ରୁ ଊର୍ଦ୍ଧ୍ଵ ପରିବାର ଟାଇଲି ଘର ପାଇ ବିଜୁ ବାବୁଙ୍କୁ ଦେବତା ଭଳି ପୂଜା କରୁଥିଲେ ହେଲେ ସେହି ସବୁ ଘର ଏବେ ଭାଙ୍ଗି ରୁଚି ଗଲାଣି ତଥାପି ସେହି ଭଙ୍ଗା ଦଦରା ଘରେ ପିଲା ଛୁଆ ଧରି ଏବେ ବି ପଡି ରହିଛନ୍ତି ସେମାନେ ୧୯୬୨ ମସିହାରେ ବିଜୁ ବାବୁ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେହି ସମୟରେ ତାଙ୍କ ଉଦ୍ୟମରେ ଦୈତାରୀ – ପାରାଦୀପ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ବିଜୁ ବାବୁ ବହୁ ସମୟରେ ଚଣ୍ଡିଖୋଲ ଜାତୀୟ ରାଜପଥ ଡାକ ବଙ୍ଗଳାରେ ଆସି ରହୁଥିଲେ l ସେହି ସମୟରେ ବଡ଼ଚଣା ବ୍ଲକ ଭୂଷଣ୍ଡପୁର ଗ୍ରାମପଞ୍ଚାୟତର ମହାଖଳା ଗ୍ରାମର ୩୦ ରୁ ଊର୍ଦ୍ଧ୍ଵ ଶବର ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଥିବା ଖବର ସେହି ଅଞ୍ଚଳର କିଛି ସମାଜସେବୀ ବିଜୁ ବାବୁଙ୍କ ନଜରକୁ ଆଣିଥିଲେ l ତା ପରେ ବିଜୁ ବାବୁଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଟାଇଲି ଘର ଯୋଗାଇ ଦିଆଯାଇଥିଲା l ଆଉ ସେବେଠାରୁ ସେହି କଲୋନୀ କୁ ବିଜୁ କଲୋନୀ ଭାବେ କୁହା ଯାଉଥିଲା l ସେତିକି ନୁହେଁ ସେମାନଙ୍କୁ ୪ ଡିସିମିଲ ଜମି ପଟା ସମସ୍ତଙ୍କୁ ମଧ୍ଯ ବିଜୁ ବାବୁ ଯୋଗାଇ ଦେଇଥିଲେ l ୟା ଭିତରେ କେତେ ବର୍ଷ ବିତି ଗଲାଣି ଆଉ କେତେ ସରକାର ଆସିଲାଣି ତାଙ୍କ ସୁପୁତ୍ର ପାଞ୍ଚ ଥର ସରକାର ମଧ୍ଯ ଚଳାଇଛନ୍ତି ବିଜୁ ଜନତା ଦଳ ସମର୍ଥନରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ଯ ଛ ଛ ଥର ବିଧାୟକ ହେଲେଣି ହେଲେ ଦୁର୍ଭାଗ୍ୟର ବିଷୟ ଯେ କେଉଁ ଘରୁ ମାଟି ଖସି ଗଲାଣି ତ କେଉଁ ଘର ଉପରେ ଅନାବନା ଘାସ ଚଢି ଗଲାଣି ବର୍ଷା ହେଲେ ଘର ଭିତରେ ପାଣି ଲହଡି ମାରୁଛି I ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ପରିବାର ଲୋକେ
୧୯୯୯ ମସିହା ମହାବାତ୍ୟା ରେ ପ୍ରଭାବିତ ମଧ୍ଯ ହେଲେ I ଘର ର ଅବଧି ମଧ୍ଯ ସରିଗଲାଣି ହେଲେ ବିଜୁ ବାବୁଙ୍କ ପ୍ରିୟ ମଣିଷ ମାନେ ଆଜି ଉପେକ୍ଷିତ l ପାନୀୟ ଜଳ ମଧ୍ଯ ଏହି କଲୋନୀ ପାଇଁ ଅନ୍ୟ ଏକ ପ୍ରମୂଖ ସମସ୍ୟା l ଏକ ମାତ୍ର କୂଅ ଭିଷଣ ଖରା ହେଲେ ଶୁଖିଯାଏ ଏହି ପାଣି ପିଇ ଏଠିକାର ଲୋକେ ନାନା ବେମାର ରେ ପଡ଼ନ୍ତି l ଏମାନେ ସବୁଦିନ ମୂଲ ଲାଗିଲେ ଚୁଲି ଜଳେ ନହେଲେ ଉପାସ ରହିବାକୁ ପଡେ। ସ୍ଥାନୀୟ ଲୋକଙ୍କ କହିବା କଥା ବିଜୁ ବାବୁଙ୍କ ଅନ୍ତେ ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ସାସନ ପରେ ବି କଣ ଏମାନଙ୍କ ପରିସ୍ଥିତି ବଦଳି ପାରିବ ନାହିଁ l ଯୋଜନା ରେ ଘର ଖଣ୍ଡେ ଯୋଗାଇ ଦେବା ଆଜି ଯାଏ ସମ୍ଭବ ହୋଇ ପାରି ନ ଥିବା ବେଳେ ଆଜି ବି ଅବହେଳିତ ହୋଇ ପଡ଼ିଛନ୍ତି ବିଜୁ ବାବୁଙ୍କ ପ୍ରିୟ ମଣିଷ ମାନେ I ତେବେ ଏହି ଆଦିବାସୀ ପରିବାରଙ୍କ ଉପରେ ସରକାର କେବେ ନଜର ଦେବେ କେବେ ମିଳିବ ଏହି ଆଦିବାସୀଙ୍କୁ ପକ୍କା ଘର ତାହା ହିଁ ସମସ୍ତଙ୍କ ଅପେକ୍ଷା l

ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *