ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ।

ଜଗତସିଂହପୁର୧୬/୦୧/ ୨୦୨୪: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ – ୨୦୨୪ ବିଶିଷ୍ଟ ବାଗ୍ମୀ ଓ ଭାଷାତତ୍ତ୍ବବିତ୍ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପଣ୍ଡିତ୍ ମିଶ୍ର କହିଥିଲେ ଯେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ କୃପା ଲାଭ କରିବାର ସୁଯୋଗ ମୋତେ ମିଳିଛି ।ଜଗତସିଂହପୁର ପୁସ୍ତକ ମେଳା ରାଜ୍ୟର ଅନ୍ୟ ପୁସ୍ତକ ମେଳା ଠାରୁ ସ୍ବତନ୍ତ୍ର ଓ ଅନନ୍ୟ । ସାହିତ୍ୟ ଏବେ ଆତ୍ମପ୍ରଚାର ସର୍ବସ୍ବ ଏବଂ ଗୋଷ୍ଠୀ ଵାଦ ମଧ୍ୟରେ କବଳିତ । ଏଥିରୁ ଆମକୁ ବାହାରିବାକୁ ପଡ଼ିବ । ଏହି ଉଦଘାଟନ ସଭାରେ ଜଗତସିଂହପୁରର ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକର ବିଲୁପ୍ତି ନାହିଁ କିମ୍ବା ପୁସ୍ତକର ଶେଷ ନାହିଁ । ମା ଶାରଳାଙ୍କ ମାଟିର ସଂସ୍କୃତି, ସଭ୍ୟତା ଓ ସାହିତ୍ୟ ଉଚ୍ଚକୋଟୀର । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି । କିନ୍ତୁ ଆମକୁ ପୁସ୍ତକ ମନସ୍କ ହେବାକୁ ପଡିବ । ଅନ୍ୟତମ ସମ୍ମାନନୀୟ ଅତିଥି ମାନ୍ୟବର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ୍ କହିଥିଲେ ଯେ ଶିକ୍ଷା ହେଉଛି ମଣିଷ ଜୀବନର ପୂର୍ଣ୍ଣତାର ମାପକାଠି । ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ । ସାହିତ୍ୟ ହିଁ ସମାଜର ଦର୍ପଣ ସଦୃଶ୍ୟ । ସମ୍ମାନନୀୟ ଅତିଥି ଜଗତସିଂହପୁର ମ୍ୟୁନିସିପାଲଟି୍ ଅଧ୍ୟକ୍ଷା ଅର୍ଚ୍ଚନା ସିଂ କହିଥିଲେ ପୁସ୍ତକ ପଠନ ଜ୍ଞାନ ବୃଦ୍ଧି କରିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ । ସାଂସ୍କୃତିକ ପରିଷଦର ଅଧ୍ୟକ୍ଷା ତଥା ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟ୍ଟାୱରୀଙ୍କ ସଭାପତିତ୍ବ କରି କହିଥିଲେ ଯେ ସମସ୍ତେ ପୁସ୍ତକ ପଢନ୍ତୁ । ଅଭିଭାବକ ମାନେ ପିଲାମାନଙ୍କୁ ବହି ପଠନର ଅଭ୍ୟାସ କରାନ୍ତୁ । ପରିଷଦର କାର୍ଯ୍ୟକାରିଣୀ ସଭ୍ୟ ମନୋଜ କୁମାର ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *