ଫୋକସ ପ୍ଲସ(ତାଳଚେର)୦୬/୦୮/୨୦୨୨ : ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଏକ ଦାବୀପତ୍ର ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ଉପଖଣ୍ଡର ଏହି ସରକାରୀ ଚିକିତ୍ସାଳୟ ଉପରେ ତାଳଚେର ତଥା ଆଖପାଖ ଜିଲ୍ଲାର ବହୁ ଜନସାଧାରଣ ଦୈନନ୍ଦିନ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଚିକିତ୍ସାଳୟଟିର ରୋଗୀଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ସୁବ୍ୟବସ୍ଥା କରାଯାଇ ନାହିଁ । ଯାହାକି ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀ ଏଠାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ବିଭିନ୍ନ ଘରୋଇ ନର୍ସିଂହୋମକୁ ଯାଇ ଅନେକ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି । ଏହାକୁ ହୃଦୟଙ୍ଗମ କରି ଗଣମାଧ୍ୟମ ପ୍ରତିନିଧି ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସମସ୍ୟା ଗୁଡିକ ହେଲା:- ଜିଲ୍ଳାପାଳ ପ୍ରତ୍ୟେକ ମାସରେ ଗୋଟିଏ ଥର ଏହି ଚିକିତ୍ସାଳୟକୁ ପରିଦର୍ଶନ କରିବା । ଏଠାରେ ଖାଲି ରହିଥିବା ସମସ୍ତ ଡ଼ାକ୍ତର ପଦବୀ ଗୁଡ଼ିକୁ ପୂରଣ କରିବା ଏବଂ ସମସ୍ତ ନର୍ସ, ଡ୍ରେସର୍ ଓ ଟେକ୍ନିସିଆନ୍ ପଦବୀ ପୂରଣ କରିବା । ଚିକିତ୍ସାଳୟରେ ଅଚଳ ହୋଇପଡ଼ି ରହିଥିବା ଅଲଟ୍ରାସାଉଣ୍ଡ ମେସିନ୍, ଇସିଜି ମେସିନ୍ ଏବଂ ଅନ୍ୟାନ୍ୟ ସମସ୍ତ ଯନ୍ତ୍ରାଂଶ । ଉନ୍ନତମାନର ସିସିଟିଭି ଓ ଏଟିଏମ୍ ମେସିନ୍ ସ୍ଥାପନ ବ୍ୟବସ୍ଥା କରାଯିବା । ରକ୍ତ ଭଣ୍ଡାର ନୂତନ ଗୃହ ନିର୍ମାଣ, ରୋଗୀଙ୍କୁ ସଠିକ୍ ଭାବେ ରକ୍ତ ପ୍ରଦାନ ଏବଂ ଏହାର ସୁପରିଚାଳନା ବ୍ୟବସ୍ଥା କରିବା । ଚିକିତ୍ସାଳୟରେ ପାନୀୟ ଜଳ ବ୍ୟବସ୍ଥା, ପରିଷ୍କାର ଓ ପରିଚ୍ଛନ୍ନତା ରଖାଯିବା । ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ପ୍ରତି ସୁବ୍ୟବହାର ଦେଖାଇବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା । ରୋଗୀଙ୍କ ନିମନ୍ତେ ଚିକିତ୍ସାଳୟର ଅତ୍ୟାଧୁନିକ ଯନ୍ତ୍ରାଂଶ ଥିବା ନିଜସ୍ୱ ଆମ୍ବୁଲାନ୍ସ ଯୋଗାଇବା ଏବଂ ରୋଗୀଙ୍କ ପାଇଁ ନିର୍ମାଣ ହୋଇ ଅଚଳ ଭାବେ ପଡ଼ି ରହିଥିବା ଅକ୍ସିଜେନ୍ ପ୍ଲାଂଟକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାର ସୁବିଚାର କରାଯାଇ ଚିକିତ୍ସାଳୟ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଗଲେ ତାଳଚେର ଓ ଏହାର ଆଖପାଖ ଅଂଚଳବାସୀ ଉପକୃତ ହୋଇପାରିବେ । ନଚେତ୍ ଅଗାମୀ ଦିନରେ ତାଳଚେର ଅଂଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଅନିର୍ଦ୍ଦିଷ୍ଟକାଳ ପାଇଁ ଖବର ପ୍ରସାରଣ ବନ୍ଦ କରିବା ସହ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଫୋକସ୍ ପ୍ଲସ୍ ର ସାମ୍ବାଦିକ ରବିନ୍ଦ୍ର ନାଥ ସେଠ୍, ନିର୍ଭୟ ସୂଚନା ର ସାମ୍ବାଦିକ ମନୋଜ କୁମାର ମହାପାତ୍ର, ଅନୁପମ ଭାରତର ସାମ୍ବାଦିକ ଚିତରଂଜନ ପାଣି, ପରିଦର୍ଶକ ର ସାମ୍ବାଦିକ ଦେବେନ୍ଦ୍ର ସାହୁ, ଆଂଚଳିକ ଖବରର ସାମ୍ବାଦିକା ଆନମ୍ ନାଜ୍ ଏବଂ ତାଳଚେରର ସମସ୍ତ ସାମ୍ବାଦିକ ଚେତାବନୀ ଦେଇଛନ୍ତି ଏହି ଦାବୀପତ୍ରର ନକଲ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ୫-ଟି ସଚିବ ଓଡିଶା ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ।
ତାଳଚେରରୁ ରବୀନ୍ଦ୍ର ନାଥଙ୍କ ରିପୋର୍ଟ ଫୋକସ ପ୍ଲସ |