ଭୁବନେଶ୍ୱର,୨୭/୦୬: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ମଧ୍ୟରୁ ଗୋଟିଏ । ବ୍ୟାକୁଳ ଭକ୍ତ ମନ । ଅପେକ୍ଷାରେ ରଥ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବ ଦିନାତ୍ମକ ଯାତ୍ରା କରିବେ ବ୍ରହ୍ମାଣ୍ଡପତି । କାଳିଆ ସାଆନ୍ତେଙ୍କ ପାଇଁ ସବୁଠୁ ଉତ୍ସାହ, ଉତ୍କଣ୍ଠା । ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ”ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।”
