ଗାଜା ତଳେ ରହିଛି ଗୁପ୍ତ ଭୂତଳ ସହର, ହମାସ ଟନେଲ୍ ନେଟୱାର୍କରେ ରହିଛି ଭରପୂର ଅସ୍ତ୍ରଶସ୍ତ୍ର

ଗାଜାରେ ସ୍ଥଳ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଇସ୍ରାଏଲର ସେନାକୁ ଯାହା ଚିନ୍ତାରେ ପକାଇ ଦେଉଛି; ତାହା ହେଉଛି ଗାଜାରେ ଥିବା ଶହ ଶହ କିଲୋମିଟର ଲମ୍ବ ଏବଂ ୮୦ ମିଟର ଗଭୀର ଭୂ-ତଳ ହମାସ ଟନେଲ ନେଟୱାର୍କ।ପଶ୍ଚିମ ଓ ମଧ୍ୟପ୍ରାଚ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାଲେଷ୍ଟାଇନ ଇସଲାମିକ ସଂଗଠନର ୩୬୦ ବର୍ଗ କିଲୋମିଟର ଉପକୂଳ ଓ ଏହାର ସୀମା ତଳେ ବିଭିନ୍ନ ପ୍ରକାରର ସୁଡ଼ଙ୍ଗ ରହିଛି, ଯେଉଁଥିରେ ଆକ୍ରମଣ, ଚୋରା ଚାଲାଣ, ସଂରକ୍ଷଣ ଏବଂ ଅପରେସନ୍‌ ପାଇଁ ଅସ୍ତ୍ରଶସ୍ତ୍ର ଭରପୂର ହୋଇରହିଛି।

ଖାସ୍‌ ଏଇ କାରଣ ପାଇଁ ଇସ୍ରାଏଲର ସ୍ୱତନ୍ତ୍ର ବାହିନୀକୁ ହମାସ ଆତଙ୍କବାଦୀଙ୍କ ସହ ଲଢ଼ିବା ଲାଗି ଅଭୂତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ବିଶ୍ୱାସ କରୁଛି ଏବଂ ଭୂମି ତଳେ ଥିବା ବନ୍ଦୀମାନଙ୍କୁ ହତ୍ୟା ନ କରିବାକୁ ଚେଷ୍ଟା କରିବ ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି।

 

 

ଆମେରିକାର ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ କହିଛନ୍ତି ଯେ ଇସ୍ଲାମିକ୍‌ ଷ୍ଟେଟ୍‌ ଠାରୁ ମୋସୁଲ ସହରକୁ ପୁନର୍ବାର ଅକ୍ତିଆର କରିବା ପାଇଁ ଇରାକର ୯ ମାସର ଲଢ଼େଇ ଠାରୁ ଇସ୍ରାଏଲବାସୀଙ୍କ ଲଢ଼େଇ ଅପେକ୍ଷାକୃତ ସହଜ ସାବ୍ୟସ୍ତ ହୋଇପାରେ। ଅନ୍ୟପକ୍ଷରେ ଇସ୍ରାଏଲ ସୁରକ୍ଷା ବାହିନୀ ସୂତ୍ରରୁ ପ୍ରକାଶ ଯେ ଗାଜାରେ ଆକାଶମାର୍ଗରୁ ଇସ୍ରାଏଲର ପ୍ରବଳ ବୋମାମାଡ଼ ଯୋଗୁଁ ସୁଡ଼ଙ୍ଗ ଭିତ୍ତିଭୂମିରେ ସାମାନ୍ୟ କ୍ଷୟକ୍ଷତି ହୋଇଛି।

ଯଦିଓ ଇସ୍ରାଏଲ ଗାଜାରେ ସୁଡ଼ଙ୍ଗ ଚିହ୍ନଟ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରିଛି; ତଥାପି ହମାସର ବାହ୍ୟ ଦୁନିଆ ପାଇଁ କାର୍ଯ୍ୟକ୍ଷମ ସୁଡ଼ଙ୍ଗ ଅଛି ବୋଲି ବିଶ୍ୱାସ କରାଯାଉଛି। ଗାଜାରେ ହମାସର ନେତା ୟେହୟା ଅଲ-ସିନ୍‌ୱାର କହିଛନ୍ତି, ‘ସେମାନେ କହୁଛନ୍ତି ଯେ ସେମାନେ ୧୦୦ କିଲୋମିଟର ହମାସ ସୁଡ଼ଙ୍ଗ ନଷ୍ଟ କରିଛନ୍ତି। ମୁଁ ଆପଣମାନଙ୍କୁ କହୁଛି, ଗାଜା ଷ୍ଟ୍ରିପ୍‌ରେ ଥିବା ସୁଡ଼ଙ୍ଗଗୁଡ଼ିକ ୫୦୦ କିଲୋମିଟରରୁ ଅଧିକ…।’

Leave a Reply

Your email address will not be published. Required fields are marked *