ଗରିବଙ୍କୁ ମିଳୁନି ସରକାରୀ ଯୋଜନା

ଫୋକସ ପ୍ଲସ 22/2/23( ସିନାପାଲି):ନୂଆପଡା ଜିଲ୍ଲା ବ୍ଲକ ସିନାପାଲି ଝାରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝୁଲେନବର ଗ୍ରାମ। ଗ୍ରାମରେ ବସବାସ କରନ୍ତି ସପୁରୀ ମାଝୀ (୭୦) । ନିଜ ବାର ବର୍ଷିଆ ନାତି ଧବଳେଶ୍ଵର ମାଝୀଙ୍କ ସହ ସୁଖ ଦୁଃଖର ପରିବାର। ସପୁରୀ ମାଝୀ ଜଣେ ବିଧବା ମହିଳା। ଜମିବାଡ଼ି କହିଲେ ୪ ଡିସମିଲ ଘରଡିହି ମାତ୍ର। ତାଙ୍କର ଏକ ମାତ୍ର ପୁତ୍ର ରହିଥିଲା। ବାରବର୍ଷ ତଳେ ସେ ସ୍ୱର୍ଗବାସ ହୋଇଯାଇଛି। ପୁତ୍ର ମୃତ୍ୟୁ ପରେ ଶିଶୁ ପୁତ୍ରକୁ ଛାଡ଼ିଦେଇ ବୋହୂ ଅନ୍ୟତ୍ରକୁ ଚାଲିଗଲା। ନିଷ୍ପାପ ଶିଶୁ ପୁତ୍ରକୁ ଆପଣେଇ ଜେଜେବାପା ଓ ଜେଜେମା କଷ୍ଟେ ମଷ୍ଟେ ଲାଳନ ପାଳନ କଲେ। ଏତିକିରେ ଦୁଃଖ ସରିଯାଇନଥିଲା।

ପୁତ୍ର ସ୍ବର୍ଗ ବାସ ପରେ ବୃଦ୍ଧ ଭୂଜ ବଲ ମାଝୀ ପକ୍ଷା ଘାତ ରୋଗରେ ପଡ଼ିଲେ। ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଗଣମାଧ୍ୟମର ଦୃଷ୍ଟି ଗୋଚର ପରେ ପ୍ରଶାସନର ହାତ ବଡିଲା। ପ୍ରଶାସନ ତଦନ୍ତ ପୂର୍ବକ ସହାୟତା ହାତ ବଢ଼ାଇଥିଲା। ପ୍ରଶାସନ ତରଫରୁ ୪ ଡିସିମିଲ ଘରଡିହି, ଆବାସ ଯୋଜନା ଏବଂ ଅନ୍ତୋଦୟ କାର୍ଡ ଯୋଗାଇ ଦିଆଗଲା। ବୃଦ୍ଧା ସପୁରୀ ମାଝୀ ବାରଦ୍ୱାର ବୁଲି ତାଙ୍କ ରୋଜଗାର ଓ ଅନ୍ତ୍ୟୋଦୟ ଚାଉଳ ପାଇ କଷ୍ଟେ ମଷ୍ଟେ ଚଳୁଥିଲେ। ଗତବର୍ଷ ବୃଦ୍ଧାଙ୍କର ମୃତ୍ୟୁ ପରେ ଅନ୍ତ୍ୟୋଦୟ ଯୋଜନାରୁ ବଞ୍ଚିତ ହେଲେ ତାଙ୍କ ଉତ୍ତରାଧିକାରୀ ସପୁରୀ ମାଝୀ ଓ ନାତି ଧବଳେଶ୍ୱର ମାଝୀ। ଅନ୍ତ୍ୟୋଦୟ ଅନୁ ଯୋଜନାରେ ସପୁରୀ ମାଝୀଙ୍କ ନାମ ଥାଇ ମଧ୍ୟ ରେସନ କାର୍ଡଟିକୁ ରଦ୍ଧ କରିଦିଆଗଲା।

ଯେତେ ବେଳେ ଏହି ଘଟଣା ସମ୍ପର୍କରେ ପ୍ରଶାସନ ଜାଣିଥିଲେ ସିନାପାଲି ତହସିଲ ଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୋଗାଣ ନିରୀକ୍ଷକ ପହଞ୍ଚି ଅନ୍ତ୍ୟୋଦୟ କାର୍ଡ ଆବାସ ଯୋଜନା, ୪ଡିସିମିଲ ଘରଡ଼ିହି ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଅନ୍ତ୍ୟୋଦୟ କାର୍ଡ ରଦ୍ଧ କରିଦେବା ଏବଂ ମାସକୁ ସପୁରୀ ମାଝୀଙ୍କ ନାମରେ ଏକ ନୂତନ କାର୍ଡ ପ୍ରସ୍ତୁତ କରିଦେଇ ୫ କି.ଗ୍ରା ଚାଉଳ ଦେବା ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ୫ କି.ଗ୍ରା ଚାଉଳରେ ପେଟ ପୋଷଣ, ରୋଗ ବ୍ୟାଧି ଏବଂ ଛୋଟ ଶିଶୁ ନାତିର ଖର୍ଚ୍ଚ ଯୋଗାଣ କରିବା ଅଜବ ଆଶ୍ଚର୍ଯ୍ୟ ଜନକ। ନିଜ ନାତି ପାଇଁ ପର୍ବ ପର୍ବାଣୀରେ ପୋଷାକ ଖଣ୍ଡିଏ କିଣି ଦେବା ଅସମ୍ଭବ ହୋଇଛି। ଗାଁ, ପଡ଼ାର ଦୟାରେ ସେ ତାର ନାତିର ଦୁଃଖ ଅସୁବିଧା ଦୂର କରିବାକୁ ଚେଷ୍ଟା କରିଥାଏ ।

ସାହି ପଡ଼ିଶାରେ ବିଜୁଳି ଆଲୁଅ, କିନ୍ତୁ ତାଙ୍କ ଘରେ ଡିବିରି ଆଲୁଅ ବି ନାହିଁ। ରାତି ପାହିଲେ ଜେଜେ ନାତି ଅନ୍ଧାରରେ ଉବୁଡୁବୁ। ବିଧବା ହେବାର ବର୍ଷେ ଦେଢ଼ ବର୍ଷ ହେଲା ବିଧବା ଭତ୍ତା ଖଣ୍ଡିକ ପାଇ ପାରୁନାହିଁ। ସରକାର ଗରିବ, ଭୂମିହୀନ, ଅସହାୟଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଏହା ଏକ ଜ୍ୱଳନ୍ତ ଉଦାହରଣ। ଗ୍ରାମାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ରାଜନେତା ଏବଂ ପ୍ରଶାସନିକ ଅଧିକାରୀ । କିନ୍ତୁ ସମସ୍ତଙ୍କ ଉଦାସୀନତା, ଅବହେଳା, ଆନ୍ତରିକତା ଅଭାବ ଯୋଗୁଁ ନିରୀହ ଅସହାୟ ମାନେ ବଳି ପଡୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *