ଫୋକସ ପ୍ଲସ ୨୬/୧/୨୩(କରଞ୍ଜିଆ):ବିତରଣ କରିବା ବଦଳରେ ଜନଶୁନ୍ୟ ଜଙ୍ଗଲରେ ଫୋପାଡି ଦେଇଛନ୍ତି ପୁଳାପୁଳା ସ୍କୁଲ ପୋଷାକ। ଏଭଳି ଘଟଣା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ ଖୋଲି ନଥିବା ଏତେ ଗୁଡିଏ ନୂଆ ପୋଷାକ ଦେଖି ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ପରିବାର ଗରୀବ ସୀମାରେଖା ତଳେ ରହୁଛନ୍ତି। ଶିକ୍ଷା କ୍ଷେତ୍ରରେ ସେମିତି ଆଖିଦୃଷ୍ଟିଆ ଅଭିବୃଦ୍ଧି ଘଟିନାହିଁ। ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବହୁତ କମ ରହୁଥିବା ଦେଖିବାକୁ ମିଳୁଛି। ସେହିଭଳି ଡ୍ରପଆଉଟ ପିଲାଙ୍କ ସଂଖ୍ୟା ନେଇ ଉଦବେଗ ବୃଦ୍ଧି ପାଉଛି। ବିଦ୍ୟାଳୟରେ ପଢ଼ିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ, ପୋଷାକ, ଯୋତା ପ୍ରଭୃତି ବିନାମୂଲ୍ୟରେ ବିତରଣ କରୁଥିବା ବେଳେ ଏସମସ୍ତ ସୁବିଧା ବାସ୍ତବରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ବର୍ଷକୁ ଦୁଇହଳ ପୋଷାକ ଦିଆଯାଏ। ତେବେ କେଉଁ ସ୍ଥିତିରେ ରରୁଆଁ ଥାନା ପଛପଟେ ବନଦୁର୍ଗା ମନ୍ଦିରକୁ ଲାଗିରହିଥିବା ସଂରକ୍ଷିତ ଜଙ୍ଗଲରେ ଶିକ୍ଷା ଅଧିକାର, ସର୍ବଶିକ୍ଷା ଅଭିଯାନ ଲୋଗ ରହିଥିବା ଶହଶହ ନୂଆ ପୋଷାକ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି। ଏନେଇ ବୁଦ୍ଧିଜୀବୀ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେଉଁ କାରଣରୁ ସରକାରୀ ବିଦ୍ୟାଳୟରେ ପଢୁଥିବା ଗରିବ ପିଲାଙ୍କ ପାଇଁ ଆସିଥିବା ଏତେ ପରିମାଣର ନୂଆ ପ୍ୟାକେଟରେ ଥିବା ଫ୍ରକ(ପୋଷାକ) ନଷ୍ଟ କରିବା ଉଦ୍ଦେଶ୍ୟ ବୁଝାପଡୁନାହିଁ। ଏଦିଗରେ ବିଭାଗୀୟ ଅଧିକାରୀ ତଦନ୍ତ କଲେ କିଏ କାହିଁକି ପୁଳା ପୁଳା ପୋଷାକ ବିତରଣ କରିବା ବଦଳରେ ଫୋପାଡି ଦେଇଛି ଜଣାପଡିବ।
