ଫୋକସ ପ୍ଲସ 11/02/2023( ଭୁବନେଶ୍ୱର):ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ୨ୟ ଦିନ । ଆଜି ସକାଳୁ ସକାଳୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ ବି କରିଛନ୍ତି । ରାଷ୍ଟ୍ରପତି ମାଉସୀ ମା’ ଛକରୁ ରଥ ରୋଡ ହୋଇ ମନ୍ଦିର ଆସିଥିଲେ । ପ୍ରଥମେ ପାଦହରା ପୁଷ୍କରିଣୀରେ ପାଦ ଧୋଇଥିଲେ । ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଖାଲି ପାଦରେ ଚାଲିଚାଲି ବିନ୍ଦୁସାଗର ଯାଇଥିଲେ । ଖାଲି ପାଦରେ ଚାଲି ଚାଲି ରାଷ୍ଟ୍ରପତି ମନ୍ଦିର ଅଭିମୁଖେ ଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା । ତାଙ୍କ ସହ ଥିବା ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଖାଲି ପାଦରେ ଚାଲୁଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରେ ୪ ନିଯୋଗ ସମ୍ପାଦକ ସ୍ୱାଗତ କରିଥିଲେ । ଏହି ସମୟରେ ମନ୍ଦିର ପରିସରରେ ସଂକିର୍ତ୍ତନ ସାଙ୍ଗକୁ ଆଦିବାସୀ ନୃତ୍ୟ ପରିବେଷଣ କରାଯାଉଥିଲା । ପୂଜାର୍ଚ୍ଚନା ସାରିବା ପରେ ରାଷ୍ଟ୍ରପତି ବେଢା ପରିକ୍ରମା କରି ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କଲେ। ପ୍ରଶାସନ ପକ୍ଷରୁ ନିଯୁକ୍ତ ଜଣେ ଅଧିକାରୀ ରାଷ୍ଟ୍ରପତିଙ୍କୁ ମନ୍ଦିରର ଐତିହ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଦର୍ଶନ ପରେ ରାଷ୍ଟ୍ରପତି ସିଂହଦ୍ୱାର ଦେଇ ବାହାରକୁ ଆସିଥିଲେ। ମନ୍ଦିର ଭିତରେ ରାଷ୍ଟ୍ରପତି ୪୦ ମିନିଟ ଧରି ରାଷ୍ଟ୍ରପତି ପୂଜାର୍ଚ୍ଚନା କରିଥିଲେ । ଏଥିସହ ଜଳାଭିଷେକ କରିଥିଲେ । ଏହାପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ପହଞ୍ଚିବେ । ସେଠାରେ ଆୟୋଜିତ ଇଣ୍ଡିଆନ ରାଇସ କଂଗ୍ରେସ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ୧ ଘଣ୍ଟା ରହି ପୁଣି ଭୁବନେଶ୍ୱର ଫେରିଆସି ଅପରାହ୍ନରେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ରହିଛି ।
ଖାଲି ପାଦରେ ଚାଲି ଚାଲି ଲିଙ୍ଗରାଜ ମନ୍ଦିର ଗଲେ ରାଷ୍ଟ୍ରପତି
