ଫୋକସ ପ୍ଲସ 23/12/2022(ଦଶପଲ୍ଲା): ଜନତାଙ୍କ ବିଶ୍ବାସ ପ୍ରତି କୁଠାରଘାତ।ଆମ୍ବୁଲାନ୍ସ ନାଁରେ ଲୋକଙ୍କୁ ଦେଖାଇଲେ ଦିବା ସ୍ବପ୍ନ।ଭାଷଣରେ ଦରଦୀର କଥା,କାର୍ଯ୍ୟରେ ଉଦାସୀନତା।ଦୁର୍ଗମ ଅଞ୍ଚଳବାସୀଙ୍କୁ ଭୂଆଁ ବୁଲାଉଛନ୍ତି ଜନପ୍ରତିନିଧି।ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଚଡେୟାପଲ୍ଲୀ ପଞ୍ଚାୟତ।ଅପହଞ୍ଚ ଇଲାକାର ଏହି ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେବା ସହ ସ୍ବାସ୍ଥ୍ୟସେବାକୁ ନେଇ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଦଶପଲ୍ଲା ମୁଖ୍ୟ ଡାକ୍ତରଖାନା ଠାରୁ ଏହି ଅଞ୍ଚଳର ଦୂରତା ପ୍ରାୟ ୪୦ କଲୋମିଟର ହୋଇଥିବାରୁ ଜରୁରୀ କାଳୀନ ପରିସ୍ଥିତିରେ ଦଶପଲ୍ଲାରୁ ଆମ୍ବୁଲାନ୍ସଟିଏ ଗଲାବେଳକୁ ରୋଗୀର ଅବସ୍ଥା ସଙ୍କଟାପନ୍ନ ହୋଇପଡେ।ଏହି ଦୁର୍ଗମ ଅଞ୍ଚଳବାସୀଙ୍କୁ ସାଂସଦ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଯୋଗାଇଦେବାକୁ ଗତ ୨୦୨୧ ମସିହା ଫେବୃୟାରୀ ମାସରେ ଜନପ୍ରତିନିଧି ପ୍ରତିଶୃତି ଦେଇଥିଲେ।ହେଲେ ପ୍ରତିଶୃତିର ଏକ ବର୍ଷ ପରେ ଅର୍ଥାତ୍ ଗତ ୨୦୨୨ ମସିହା ମେ ମାସରେ ସାଂସଦ ଓ ବିଧାୟକ ଏକ ଆମ୍ବୁଲାନ୍ସର ଶୁଭ ଉଦଘାଟନ କରିଥିଲେ। ଏହି ଚଡେୟାପଲ୍ଲୀ ଅଞ୍ଚଳବାସୀଙ୍କ ପାଇଁ ସେବା ଯୋଗାଇବ ବୋଲି ଘୋଷଣା କରିଥିଲେ।ଏହା ଭିତରେ ଆମ୍ବୁଲାନ୍ସ ଉଦଘାଟନକୁ ୭ମାସରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ଚଡେୟାପଲ୍ଲୀବାସୀଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବା ସ୍ବପ୍ନ ପାଲଟିଯାଇଛି।ଜନପ୍ରତିନିଧି ଉଦଘାଟନ କରିଥିବା ଆମ୍ବୁଲାନ୍ସ ଦଶପଲ୍ଲା ଡାକ୍ତରଖାନା ପରିସରରେ ପଡିରହିଛି।ଆମ୍ବୁଲାନ୍ସଟି ଚଡେୟାପଲ୍ଲୀ ଅଞ୍ଚଳବାସୀଙ୍କୁ ଦିନେ ହେଲେ ସେବା ଯୋଗାଇବାରେ ସଫଳ ହୋଇପାରିନାହିଁ।ଅନ୍ୟପଟେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଅଞ୍ଚଳବାସୀ ଉକ୍ତ ଆମ୍ବୁଲାନ୍ସ କିଭଳି ଯୋଗାଯୋଗ କରିବେ ତାହାର କୌଣସି ସୂଚନା ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଜନପ୍ରତିନିଧିମାନେ କେବଳ ନିର୍ବାଚନ ବୈତରଣୀ ପାରି ହେବାପାଇଁ ଦୁର୍ଗମ ଅଞ୍ଚଳବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଜନପ୍ରତିନିଧିଙ୍କ ପ୍ରତିଶୃତି ପାଣିର ଗାର ପାଲଟିଥିବା ବେଳେ ଲୋକଙ୍କୁ ଆମ୍ବୁଲାନ୍ସର ସ୍ବପ୍ନ ଦେଖାଇ ଲୋକମାନଙ୍କ ବିଶ୍ବାସ ପ୍ରତି କୁଠାରଘାତ କରାଯାଇଥିବା ଅଭିଯୋଗ ହେଉଛି।ତେବେ ଦୁର୍ଗମ ଅଞ୍ଚଳ ଚଡେୟାପଲ୍ଲୀ ପଞ୍ଚାୟତ ବାସିଙ୍କ ସମସ୍ୟା କେବେ ଦୂର ହେବ ଓ ଜନପ୍ରତିନିଧିଙ୍କ ଶୁଭଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା।
