ଖେଳ16/11/2023; ଅନୁଷ୍କା ଓ ସଚିନଙ୍କ ଆଗରେ ୫୦ତମ ଶତକ କରିବା ଘଟଣାକୁ ବର୍ଣ୍ଣନା କରିବା କଷ୍ଟକର: କୋହଲି
‘‘ମୁଁ କୋଲ୍କତାରେ କହିଥିଲି, ସେହି ମହାନ ଖେଳାଳି (ସଚିନ ତେନ୍ଦୁଲକର) କେବଳ ମୋତେ ବଧାଇ ଜଣାଇଥିଲେ। ଏସବୁ ମୋତେ ସ୍ବପ୍ନ ଭଳି ଲାଗୁଛି ଏବଂ ସତ ହେଉଥିବାରୁ ଆହୁରି ଭଲ ଲାଗୁଛି। ଏହା ମୋତେ ସରପ୍ରାଇଜ୍ ଭଳି ଲାଗିଥିଲା। ପୁଣି ଥରେ ଆଜି ବହୁତ ବଡ଼ ମ୍ୟାଚ୍ ଥିଲା। ବିଶ୍ବକପ୍ ସାରା ଯେଉଁ ଦାୟିତ୍ବ ନିର୍ବାହ କରିଛି, ତାହା ଏଠାରେ ମଧ୍ୟ କରିବାର ଥିଲା। ଯାହାଦ୍ବାରା ଅନ୍ୟ ଖେଳାଳିମାନେ ଚାପମୁକ୍ତ ହୋଇ ଖେଳିପାରିବେ। ତେଣୁ ସବୁକିଛି ଠିକ୍ଠାକ୍ ଚାଲିଥିବାରୁ ଭଲ ଲାଗିଥିଲା ଏବଂ ଆମେ ଏକ ବଡ଼ ସ୍କୋର, ବୋର୍ଡରେ ରଖିପାରିଛୁ। (କିଭଳି ସ୍ଥିର ପ୍ରଦର୍ଶନ ଦେଇପାରୁଛନ୍ତି ପ୍ରଶ୍ନରେ) ମୋ ଦଳକୁ ଜିତାଇବା ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ଏବଂ ଏଥିପାଇଁ ଯାହା କରିବାକୁ ପଡ଼ିବ, ମୁଁ କରିବି। ତାହା ୧ ହେଉ କିମ୍ବା ୨ ରନ୍ ହେଉ, ଅବା ବାଉଣ୍ଡରି ମାରିବା ହେଉ, ଯେତେବେଳେ ଦଳ ମୋ’ଠୁ ଯାହା ଆଶା କରିବ ମୁଁ କରିବି। ଏହି ବିଶ୍ବକପ୍ରେ ମୋତେ କିଛି ଦାୟିତ୍ବ ଦିଆଯାଇଛି ଓ ତାହାକୁ ସଫଳ କରିବା ପାଇଁ ମୁଁ ମୋ ଶ୍ରେଷ୍ଠ ଦେବାକୁ ସବୁବେଳେ ଚେଷ୍ଟା କରିଆସୁଛି। ଯେତେ ପାରିବି ଖେଳର ଗଭୀର ପର୍ଯ୍ୟନ୍ତ ଖେଳିବାକୁ ଚେଷ୍ଟା କରିବି, ଯାହାଦ୍ବାରା ଅନ୍ୟମାନେ ଆତ୍ମବିଶ୍ବାସ ରଖିପାରିବେ ଏବଂ ମୁଁ ପରବର୍ତ୍ତୀ ଓଭରଗୁଡ଼ିକରେ ବ୍ୟାଟିଂରେ ପ୍ରାଧାନ୍ୟ ବିସ୍ତାର କରିପାରିବି। ଏବେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ର ଗୋଟିଏ ପାଳିରେ ଦୁଇଟି ଶତକ ଦେଖିବାକୁ ମିଳିଛି। ପୂର୍ବରୁ ତିଳକରତ୍ନେ ଦିଲସାନ (୧୦୮*) ଓ ଉପୁଲ ଥରଙ୍ଗା (୧୦୨*) ୨୦୧୧ ବିଶ୍ବକପ୍ କ୍ବାର୍ଟର ଫାଇନାଲ୍ରେ ଇଂଲଣ୍ଡ ବିପକ୍ଷରେ ଶତକ ଅର୍ଜନ କରିଥିଲେ ଏବଂ ଶ୍ରୀଲଙ୍କା ୧୦ ୱିକେଟ୍ରେ ବିଜୟୀ ହୋଇଥିଲା।’’
(ଶତକରେ ପହଞ୍ଚିବା ପରେ ତାଙ୍କ ଉତ୍ସବ ସଂକ୍ରାନ୍ତରେ) ମୁଁ ଯେମିତି ଆଗରୁ କହିଛି ଏସବୁ ମୋ ପାଇଁ ସ୍ବପ୍ନ। ଗ୍ୟାଲେରିରେ ଅନୁଷ୍କା ବସିଥିଲେ, ସଚିନ ପାଜି ମଧ୍ୟ ଥିଲେ। ଏହାକୁ ବର୍ଣ୍ଣନା କରିବା କଷ୍ଟକର। ଯଦି ମୋତେ ଏହି ମୁହୂର୍ତ୍ତକୁ ଛବିରେ ଆଙ୍କିବାକୁ ଦିଆଯାଏ, ତାହେଲେ ଏହିପରି ଛବି ଅଙ୍କାଯାଉ ବୋଲି ଚାହିବି। ମୋ ଜୀବନସାଥୀ, ଯାହାକୁ ମୁଁ ବହୁତ ଭଲ ପାଉଛି ଓ ମୋ ହିରୋ ଉଭୟ ସେଠାରେ ଉପସ୍ଥିତ ଥିଲେ ଏବଂ ୱାଙ୍ଖଡ଼େର ଏତେମାତ୍ରାର ଦର୍ଶକଙ୍କ ସମ୍ମୁଖରେ ମୁଁ ୫୦ତମ ଶତକ ଅର୍ଜନ କରିପାରିଲି। ଏଭଳି ଐତିହାସିକ ସ୍ଥାନରେ ରେକର୍ଡ କରିବା ବହୁତ ଗର୍ବର କଥା। (ଦଳର ପ୍ରଦର୍ଶନ ଉପରେ) ଏଭଳି ଏକ ବଡ଼ ମ୍ୟାଚ୍ରେ ଯେତେବେଳେ ୩୩୦ରୁ ୩୪୦ ଉପରକୁ ରନ୍ ହୋଇଥାଏ, ସେତେବେଳେ ବହୁତ ଖୁସି ଲାଗେ। ହେଲେ ୪୦୦ ନିକଟତର ହେବା ଆହୁରି ବଡ଼ କଥା। ଏଥିପାଇଁ ଶ୍ରେୟସଙ୍କୁ ମଧ୍ୟ ତାହାର ଶ୍ରେୟ ଯିବ। ସେ ଯେଉଁଭଳି ଭାବେ ନିର୍ଭୀକ କ୍ରିକେଟ୍ ଖେଳିଥିଲେ, ଶୁବମନ ଓ ରୋହିତ ଶୀର୍ଷରେ ଯେପରି ଖେଳିଲେ ଏବଂ କେଏଲ୍ ରାହୁଲ ଯେଉଁଭଳି ଭାବେ ପାଳି ଶେଷ କଲେ… ମୁଁ ଭାବୁଛି ସମସ୍ତେ ନିଜନିଜର ଦାୟିତ୍ବକୁ ଠିକ୍ ଭାବେ ତୁଲାଇଛନ୍ତି। ଦଳ ପାଇଁ ଅତି ସୁନ୍ଦର ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ଏହା ପରଫେକ୍ଟ ବ୍ୟାଟିଂ ପ୍ରଦର୍ଶନ ଥିଲା।’’
କୋହଲିଙ୍କ ପାଇଁ ସଚିନ ଗର୍ବିତ |
