ଫୋକସ ପ୍ଲସ(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରେ ମଙ୍ଗଳବାର ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା ଏନଏସିରେ ଆଜି ଅହିଂସା ରଥ ପରିକ୍ରମା କରିଥିଲା । ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ହଜାର ହଜାର ଲୋକ ସ୍ଵାଧୀନତାର ଉଲ୍ଲାସକୁ ଅନୁଭବ କରିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ଅହିଂସା ରଥର ଅଭିନବ କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟତା ଭାବନାର ପୁନଃଜାଗରଣ ସୃଷ୍ଟି କରାଇପାରିଛି ।ଏକ ବିଶାଳ ଶୋଭାଯାତ୍ରାରେ କୋଦଳା ବିଜ୍ଞାପିତ ଅଂଚଳ ପରିଷଦରେ ଏହି ରଥ ପରିକ୍ରମା କରିଥିବା ବେଳେ ରଥକୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ସମସ୍ତ କାଉନସିଲରକଂ ସମେତ ପ୍ରଶାସନିକ କର୍ମଚାରୀ।
କୋଦଳା ଠାରେ ଥିବା ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦେଶପ୍ରେମର ବାର୍ତ୍ତା ପ୍ରଚାର କରାଯାଇଥିଲା। ରଥ ପରିକ୍ରମା କରୁଥିବାବେଳେ ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ବିରାଟ ପଟୁଆରରେ ସଜ୍ଜିତ ଏହି ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ମିଶନ ଶକ୍ତି ସଦସ୍ୟା,ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା,ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ, ଛାତ୍ରଛାତ୍ରୀ ଓ ବହୁସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
କୋଦଳା ରୁ ଦେବାଶିଷ ମହାରଣାଙ୍କ ରିପୋର୍ଟ