ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନିଜର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି | ଆସନ୍ତା ଜୁଲାଇ ୨୭ରୁ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ ଭାରତ । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ରେ ସୂର୍ଯ୍ୟକୁମାର ଯାଦବ ଏଥର ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହିପରି ରୋହିତ ଶର୍ମା ଦିନିକିଆରେ ଦାୟିତ୍ୱ ଭାର ତୁଲାଇବେ । ଏଥିସହିତ ଉଭୟ ଟି-୨୦ ଓ ଦିନିକିଆ ସିରିଜରେ ଉପ ଅଧିନାୟକଙ୍କ ଦାୟିତ୍ୱ ଶୁଭମନ ଗିଲଙ୍କୁ ଦିଆଯାଇଛି । ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ଆଜି ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ଗମ୍ଭୀର ଏକ ବଡ଼ ବୟାନ ଦେଇଛନ୍ତି ।
ଗମ୍ଭୀର କହିଛନ୍ତି ଯେ ବିରାଟ-ରୋହିତ ୨୦୨୭ ରେ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ ବି ଖେଳିପାରିବେ। ଗମ୍ଭୀର କହିଛନ୍ତି ଯେ ମୁଁ ଭାବୁଛି ସେ ଟି -୨୦ ବିଶ୍ୱକପ ହେଉ କିମ୍ବା ଦିନିକିଆ ବିଶ୍ୱକପ ବଡ଼ ମଞ୍ଚରେ କ’ଣ କରିପାରିବେ ସେମାନେ ସମସ୍ତଙ୍କୁ ଦେଖାଇ ସାରିଛନ୍ତି । ସେହି ଖେଳାଳିଙ୍କ ଭିତରେ ଏବେ ବି ଅନେକ କ୍ରିକେଟ୍ ଖେଳିବାକୁ ବାକି ରହିଛି । ଆଗକୁ ଚାମ୍ପିଅନ୍ସ ଟ୍ରଫି ଆସୁଛି, ଅଷ୍ଟ୍ରେଲିଆରେ ଏକ ବଡ଼ ଟେଷ୍ଟ ସିରିଜ୍ ବି ଆସୁଛି । ଯଦି ସେମାନେ ନିଜର ଫିଟନେସ୍ ବଜାୟ ରଖିପାରିବେ, ତେବେ ସେମାନେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାରେ କୌଣସି ଅସୁବିଧା ହେବନାହିଁ ବୋଲି ଗୌତମ ଗମ୍ଭୀର କହିଛନ୍ତି ।
୨୦୨୭ ଦିନିକିଆ ବିଶ୍ୱକପ୍କୁ ଏବେ ଆଉ ପ୍ରାୟ ତିନି ବର୍ଷ ବାକି ଅଛି । ସେତେବେଳକୁ ରୋହିତଙ୍କ ବୟସ ୪୦ ଏବଂ ବିରାଟଙ୍କ ବୟସ ପାଖାପାଖି ୩୯ ବର୍ଷ ହୋଇସାରିଥିବ। ତେଣୁ ଯଦି ଉଭୟ ବ୍ୟାଟ୍ସମ୍ୟାନ୍ ନିଜର ଫିଟନେସ୍ ବଜାୟ ରଖିପାରିବେ ତେବେ ଉଭୟେ ଦିନିକିଆ ବିଶ୍ୱକପ୍ ଖେଳିପାରିବେ। ଏହାସହ ଗୌତମ ଗମ୍ଭୀର ଆହୁରି କହିଛନ୍ତି ଯେ , ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖେଳାଳି ମାନଙ୍କର ପୂର୍ଣ ସମର୍ଥନ ମୋ ଉପରେ ରହିବ ଆବଶ୍ୟକ ।ଏଥିସହିତ ଡ୍ରେସିଂ ରୁମରେ ଖୁସିର ପରିବେଶ ରହିବା ନିହାତି ଆବଶ୍ୟକ । ମୁଁ ସବୁ ଜିନିଷଗୁଡ଼ିକୁ ଜଟିଳ କରିବାକୁ ଚାହେଁ ନାହିଁ । ମୁଁ ଏକ ସଫଳ ଦଳକୁ ଆଗେଇ ନେବାକୁ ଚାହୁଁଛି ।