ଫୋକସ ପ୍ଲସ(ମାଲକାନଗିରି)୧୫/୦୮/୨୦୨୨:ଦୀର୍ଘ ୨ ଦଶନ୍ଧରୁ ଉର୍ଦ୍ଧ୍ବ ସ୍ବାଭିମାନ ଅଞ୍ଚଳ ଲାଲବିହାରୀର ଗଡ଼ ଭାବେ ପରିଚିତ ଥିଲା।ଏବେ କିନ୍ତୁ ଏହାର ଚିତ୍ର ସମ୍ପୂର୍ଣ୍ଣ ଭାବେ ଭିନ୍ନ। ମାଲକାନଗିରି ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ଦ୍ଵାରା ସ୍ବାଭିମାନ ଅଞ୍ଚଳରେ ବିଭିନ୍ନ ସମୟରେ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସହାୟତାର ହାତ ବଢେ଼ଇବା ସହ ଜନ ସମ୍ପର୍କ ଶିବିର ମାଧ୍ୟମରେ ସ୍ବାସ୍ଥ୍ୟସେବା , ଶିକ୍ଷା ଉପକରଣ , ଆସବାବପତ୍ର , ସୋଲାର ଲାଇଟ୍ ଏପରି ଯୋଗାଇ ଦେଇ ଆଦିବାସୀ ମାନଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି। ଯାହାର ସ୍ପଷ୍ଟ ଚିତ୍ର ଆଜି ଆମେ ଦେଖିବାକୁ ପାଉଛେ।ଯୋଡାଆମ୍ବ ପଞ୍ଚାୟତ ଖଜୁରିଗୁଡା ଗାଁରେ ଦିନ ଥିଲା ଏଠି ଦିନ ଦ୍ବିପହରରେ ମାଓବାଦୀ ମାନେ ନୀରିହ ଆଦିବାସୀ ମାନଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ହତ୍ୟା କରୁଥିଲେ।ଦିନ ଥିଲା ସ୍ବାଭିମାନ ଅଞ୍ଚଳରେ ପୁଲିସର ଉପସ୍ଥିତି ଆଦିବାସୀ ମାନଙ୍କ ପାଇଁ ସ୍ବପ୍ନ ଥିଲା। ଏପରି କେତେକ ସହରାଞ୍ଚଳ ମଧ୍ୟ ପୁଲିସ ନିଜର ପରିଚୟ ଦେଉ ନଥିଲେ ବୋଲି କୁହାଯାଉଛି। ଆଜି କିନ୍ତୁ ଏଠାକାର ଚିତ୍ରରେ ଆକାଶପାତାଳ ପରିବର୍ତ୍ତନ ହୋଇଛି। ସ୍ବାଭିମାନ ଅଞ୍ଚଳବାସୀ ମାଓବାଦୀଙ୍କ ହାତ ଛାଡି ପୁଲିସର ବନ୍ଧୁ ହୋଇଛନ୍ତି। ଅତ୍ୟନ୍ତ ମାଓ ପ୍ରବଣ ଖଜୁରିଗୁଡା ଗାଁରେ ଥିବା ମାଓ ସ୍ତମ୍ଭ ଉପରେ ଚଢ଼ି ହର ଘର ତିରଙ୍ଗା ଘର ଘର ତିରଙ୍ଗାର ନାରା ସହ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି।ଏହା କେବଳ ସମ୍ଭବ ହୋଇ ପାରିଛି ୨୦୧୮ ମସିହା ଜୁଲାଇ ମାସ ୨୬ ତାରିଖ ଦିନ ଗୁରୁପ୍ରିୟା ସେତୁର ଉଦଘାଟନ ପରେ। ସୁରକ୍ଷାବାହିନୀ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା କରିବା ସହ ମାଓବାଦୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଉଖାଡି ଫିଙ୍ଗିଛନ୍ତି।
ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।