ଏଣିକି ଆଦିବାସୀମାନେ ନିଜ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିପାରିବେ, କ୍ୟାବିନେଟ ଦେଲେ ମଂଜୁରୀ!!

ଭୁବନେଶ୍ବର: ରାଜ୍ୟ ସରକାର ଆଦିବାସୀଙ୍କ ଜମି ବିକ୍ରି ଉପରେ ଏକ ବଡ ପରିବର୍ତ୍ତନ ଆଣୁଛନ୍ତି। ଫଳରେ ବହୁ ପୁରୁଣା ସମୟରୁ ଯେଉଁ ନିୟମ ରହିଥିଲା ସେଥିରେ ପରିବର୍ତ୍ତନ ହେବ। ପୁରୁଣା ନିୟମ ଅନୁସାରେ କୌଣସି ଅନୁସୂଚିତ ଜନଜାତି ସେମାନଙ୍କ ଜମିକୁ ଉଚ୍ଚ ବର୍ଗର ଲୋକଙ୍କୁ ବିକ୍ରି କରିପାରିବେ ନାହିଁ। ଏହାଦ୍ବାରା ବହୁ ଆଦିବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେଥିପାଇଁ ରାଜ୍ୟ ସରକାର ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ ୧୯୬୫ କୁ ସଂଶୋଧନ କରିବେ। ଏହି ସଂଶୋଧନକୁ ଗତକାଲି ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହୋଇଛି। ଏହି ଆଇନର ଧାରା ୨ କୁ ସଂଶୋଧନ କରାଯାଇଛି। ଏହା ଦ୍ବାରା ଅନୁସୂଚିତ ଜନଜାତିର ବର୍ଗ ଉଚ୍ଚ ବର୍ଗର ଲୋକଙ୍କୁ ଜମି ବିକ୍ରି, ଉପହାର, ବନ୍ଧକ, ବଦଳ କରିପାରିବେ। ଏପରିକି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନେ ଜମି ହସ୍ତାନ୍ତର କରିପାରିବେ।

ତେବେ ଏହି ସଂଶୋଧନରେ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ଜମି ବିକ୍ରି କରିବେ ସେ ପ୍ରଥମେ ଉପଜିଲ୍ଲାପାଳଙ୍କର ଅନୁମତି ହାସଲ କରିବାକୁ ପଡିବ। ସେ ଲିଖିତ ଭାବେ ଅନୁମତି ଦେବା ପରେ ତାହା ଉଚ୍ଚ ବର୍ଗକୁ ବିକ୍ରି କିମ୍ବା ବନ୍ଧକ ରଖିପାରିବେ। ତେବେ କୌଣସି କାରଣରୁ ଯଦି ଉପଜିଲ୍ଲାପାଳ ଏଥିରେ ଅନୁମତି ପ୍ରଦାନ ନ କରନ୍ତି ତେବେ ଛଅ ମାସ ମଧ୍ୟରେ ସେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବ। ଜିଲ୍ଲାପାଳ ଯାହା ନିଷ୍ପତି ନେବେ ତାହା ଚୁଡାନ୍ତ ନିଷ୍ପତି ହେବ ବୋଲି ଏହି ଆଇନରେ କୁହାଯାଇଛି। ତେବେ ଏଥିରେ କେତେକ ବିଷୟରେ ଧ୍ୟାନ ଦେବା ପାଇଁ ଉଲ୍ଲେଖ କରାଯାଇଛି। ତାହା ହେଲା ଯେଉଁ ଆଦିବାସୀ ବ୍ୟକ୍ତି ଜମି ବିକ୍ରି କରିବେ ସେ ଯେପରି ଜମି ହୀନ ବା ବାସହୀନ ନ ହେବ ସେଥିରେ ଦୃଷ୍ଟି ରଖିବାକୁ କୁହାଯାଇଛି।

ପୂର୍ବରୁ ନିୟମ ରହିଥିଲା ଯେ, ଜଣେ ଅଦିବାସୀ ବ୍ୟକ୍ତି ତାହାର ସ୍ଥାବର ସଂପତ୍ତି କେବଳ ସେହି ଜାତିର ବ୍ୟକ୍ତିଙ୍କୁ ବିକ୍ରି କରିପାରିବେ। ଏହାପରେ ସେଥିରେ କିଛି ସଂଶୋଧନ କରାଯାଇ ଯେଉଁ ଆଦିବାସୀଙ୍କର ବିପୁଳ ସଂପତ୍ତି ଥିବ ସେ ଜମି ବିକ୍ରି କରିପାରିବ। ହେଲେ ଅନ୍ୟମାନେ ବିକ୍ରି କରିବାର କଟକଣ ରହିଥିଲା। ଏହି କଟକଣା ଯୋଗୁଁ ଅନେକ ଆଦିବାସୀ ସେମାନଙ୍କର ପିଲାଙ୍କ ପାଠପଢା କିମ୍ବା ଅନ୍ୟାନ୍ୟ ଜରୁରୀ କାମ ପାଇଁ ଜମି ଉଚ୍ଚ ବର୍ଗର ଲୋକଙ୍କୁ ବିକ୍ରି କରିପାରୁ ନ ଥିଲେ। ଏହିପରି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଜନଜାତି ପରାମର୍ଶଦାତା ପରିଷଦ ଏହାକୁ ସଂଶୋଧନ କରିବା ପାଇଁ ଦାବୀ କରି ଆସୁଥିଲା। ଯାହାକୁ ଗତକାଲି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାପରେ ବିଧାନସଭାରେ ଏହି ସଂଶୋଧନ ବିଲ ପାଶ ହେଲେ ତାହା କାର‌୍ୟ୍ୟକାରୀ ହେବ। ଏହି ଆଇନ ପାଶ ହେଲେ ବହୁ ଅନୁସୂଚିତ ଜନଜାତିର ଲୋକେ ବେଶ ଉପକୃତ ହୋଇପାରିବେ।

Leave a Reply

Your email address will not be published. Required fields are marked *