ଉତ୍ତରକାଶୀ ଘଟଣା30/11/2023; ୧୭ ଦିନ ହେଲା ଉତ୍ତରାଖଣ୍ଡର ସିଲ୍କୟାରା ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଯତ୍ନ କର୍ମଚାରୀଙ୍କ ସମେତ ଡାକ୍ତରମାନେ ନିରନ୍ତର ଭାବେ ନେଉଥିଲେ। ସୁଡ଼ଙ୍ଗ ବାହାରେ ଡାକ୍ତରଙ୍କ ଏକ ଦଳ ରହି କାର୍ଯ୍ୟ କରୁଥିଲା। ସେମାନେ ନିୟମିତଭାବେ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ବିଷୟରେ ଅବଗତ ହେଉଥିଲେ। ଏଥିସହିତ ସେମାନଙ୍କୁ ମାନସିକ ସ୍ତରରେ ଦୃଢ଼ ରଖିବା ଲାଗି କାର୍ଯ୍ୟ କରୁଥିଲେ। ୫ ଜଣିଆ ଡାକ୍ତରୀ ଦଳ ଦିନକୁ ଦୁଇଥର କଥା ହେଉଥିଲେ। ସୁଡ଼ଙ୍ଗରେ ଫସିଥିବା ସବା ଅହମଦ ନାମକ ଜଣେ ଶ୍ରମିକଙ୍କୁ ତାଙ୍କ ପରିବାର ସଦସ୍ୟ ଯେତେବେଳେ କଥା ହେଉଥିଲେ ସେତେବେଳେ ତାକୁ ଭରସା ଦେଉଥିଲେ ଚିନ୍ତା କରନି, ତୁମମାନଙ୍କୁ ବାହାର କରିବା ଲାଗି ଉଦ୍ୟମ ଚାଲିଛି। ଶ୍ରମିକଙ୍କ ନିକଟକୁ ପାଇପ୍ ଜରିଆରେ ମାଇକ୍ ପଠାଯାଇଥିଲା ଯାହା ମାଧ୍ୟମରେ ସେମାନେ ସେମାନଙ୍କ ପରିବାର ସଦସ୍ୟ ଏବଂ ଡାକ୍ତରଙ୍କ ସହିତ କଥା ହେଉଥିଲେ। ଏଥିସହିତ ଥଣ୍ଡା ବଢ଼ୁଥିବାରୁ ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକମାନେ କିଭଳି ରାତି କାଟୁଥିଲେ ତାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା କରାଯାଉଥିଲା। ତେବେ ଡାକ୍ତରୀ ଦଳରେ ଥିବା ବରିଷ୍ଠ ଡାକ୍ତର ପ୍ରେମ ପୋଖରିୟାଲଙ୍କ କହିବାନୁଯାୟୀ, ଭିତରେ ଶ୍ରମିକମାନଙ୍କୁ ଥଣ୍ଡା ଜନିତ କୌଣସି ଅସୁବିଧା ସୃଷ୍ଟି ହୋଇନାହିଁ। ଯେଉଁଠି ଶ୍ରମିକମାନେ ଫସିଥିଲେ ସେଠାରେ ପାଖାପାଖି ୨ କିମି ଜାଗା ରହିଥିଲା। ଏଥିସହିତ ସେଠାରେ ତାପମାତ୍ରା ୨୨ରୁ ୨୪ ଡିଗ୍ରି ସେଲସିୟସ ମଧ୍ୟରେ ରହିଥିଲା। ଡାକ୍ତର ପୋଖରିୟାଲଙ୍କ କହିବାନୁଯାୟୀ, ସୌଭାଗ୍ୟର ବିଷୟ ହେଲା ସୁଡ଼ଙ୍ଗ ଭିତରେ ଜିୟୋଟେକ୍ସଟାଇଲ ସିଟ୍ର ବଣ୍ଡଲ ଥିଲା। ତାହାକୁ ବିଛାଇ ଶ୍ରମିକମାନେ ଶୋଉଥିଲେ। ମାନସିକ ସ୍ବାସ୍ଥ୍ୟକୁ ସୁଦୃଢ଼ ରଖିବା ପାଇଁ ଫସିଥିବା ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ଯୋଗ ଓ ବ୍ୟାୟାମ କରୁଥିଲେ। ଏଥିସହିତ ସକାଳେ ଓ ସନ୍ଧ୍ୟାରେ ସେମାନେ ସୁଡ଼ଙ୍ଗ ଭିତରେ ଚାଲୁଥିଲେ। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସୁଡ଼ଙ୍ଗ ଭିତରେ ଶ୍ରମିକଙ୍କ ନିକଟରେ ବିଜୁଳି ସଂଯୋଗ କଟି ନଥିଲା ଯେଉଁଥି ପାଇଁ ଥଣ୍ଡାରୁ କିଛିଟା ଆଶ୍ବସ୍ତି ମିଳିଥିଲା। ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଶ୍ରମିକମାନଙ୍କ ନିକଟକୁ ଦାନ୍ତଘଷା ବ୍ରସ, ତଉଲିଆ, କପଡ଼ା, ଅନ୍ତବସ୍ତ୍ର ଭଳି ଜରୁରୀ ସାମଗ୍ରୀ ପଠାଯାଇଥିଲା। ସେମାନଙ୍କୁ ମୋବାଇଲ ଫୋନ ମଧ୍ୟ ଦିଆଯାଇଥିଲା ଯେଉଁଥିରେ ସିନେମା ଓ ଭିଡିଓ ଗେମ୍ ରହିଥିଲା।
କ’ଣ ଖାଉଥିଲେ?
ପ୍ରଥମେ ଶ୍ରମିକମାନଙ୍କୁ ତରଳ ଖାଦ୍ୟ ଦିଆଯାଉଥିଲା। କିନ୍ତୁ ଗତ କିଛିଦିନ ହେଲା ସେମାନଙ୍କୁ ସକାଳେ ଅଣ୍ଡା, ଚା’ ଏବଂ ଦଲିୟା ପଠାଯାଉଥିଲା। ଦିପହର ଏବଂ ରାତିରେ ସେମାନଙ୍କୁ ଭାତ, ଡାଲି, ରୁଟି ଏବଂ ତରକାରୀ ଦିଆଯାଉଥିଲା। ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପାତ୍ର ମାଧ୍ୟମରେ ସେମାନଙ୍କୁ ଖାଦ୍ୟ ପରଷା ଯାଉଥିଲା। ଶ୍ରମିକମାନଙ୍କ ଶରୀରକୁ ପର୍ଯ୍ୟାପ୍ତ ଜଳୀୟଅଂଶ ମିଳୁଥିଲା। ପାଇପ୍ ଯୋଗେ ସେମାନଙ୍କ ନିକଟକୁ ଓଆରଏସ୍ ପାଉଡର ମଧ୍ୟ ପଠାଯାଇଥିଲା। ଏଥିସହିତ ସେମାନଙ୍କ ନିକଟକୁ ଏନର୍ଜି ଡ୍ରିଙ୍କ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପଠାଯାଉଥିଲା। ଶ୍ରମିକଙ୍କ ନିକଟରେ ଡ୍ରାଏ ଫ୍ରୁଟ୍ସ ଓ ବିସ୍କୁଟ ମହଜୁଦ ରଖାଯାଇଥିଲା। ଡାକ୍ତରୀ ଦଳର ନୋଡାଲ ଅଫିସର ଡାକ୍ତର ବିମଳେଶ ଜୋଶୀ କହିଛନ୍ତି ଯେ ଶ୍ରମିକଙ୍କ ସହିତ ସେମାନଙ୍କ ପରିବାରବର୍ଗକୁ ମଧ୍ୟ ମଝିରେ ମଝିରେ କାଉନସେଲିଂ କରାଯାଉଥିଲା। ଫସିଥିବା ଶ୍ରମିକଙ୍କ ସହ କଥା ହେବା ବେଳେ ସେମାନଙ୍କୁ କୌଣସି ନକାରାତ୍ମକ କଥା ନକହିବାକୁ ପରିବାର ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି।
ଉତ୍ତରକାଶୀ ଘଟଣା: କେମିତି ଥିଲା ସେହି ୧୭ ଦିନ, କ’ଣ ଖାଉଥିଲେ ଫସିଥିବା ଶ୍ରମିକମାନେ?
