ଗତବର୍ଷ ପରି ପୁଣି ଚଳିତ ବର୍ଷ ପିଆଜ ଦର ବଢିବାରେ ଲାଗିଛି । ବର୍ତ୍ତମାନ ପିଆଜ ଦର ବୃଦ୍ଧି ସାଧାରଣ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି କହିଲେ ଭୁଲ୍ ହେବ ନାହିଁ । କେବଳ ଓଡ଼ିଶା ନୁହେଁ, ଦେଶର ଅନେକ ରାଜ୍ୟରେ ପିଆଜ ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ସବୁଠି ବର୍ତ୍ତମାନ ସମାନ ସ୍ଥିତି । ୨୦୨୪ ଜୁଲାଇ ଶେଷରେ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ ପିଆଜ ଦର ବଢିବା ଆରମ୍ଭ ହୋଇଥିଲା । ଏହାର ସବୁଠାରୁ ବଡ କାରଣ ହେଉଛି ବାଂଲାଦେଶ ଟ୍ରାଜେଡି । ଯେତେବେଳେ ପଡୋଶୀ ଦେଶରେ ସ୍ଥିତି ଅଣାୟତ ଥିଲେ ସେତେବେଳେ ଭାରତକୁ ପିଆଜ ରପ୍ତାନି ହ୍ରାସ ପାଇଲା । ଖୁଚୁରା ବଜାରରେ ପିଆଜ ଦର ସାମାନ୍ୟ ହ୍ରାସ ପାଇଥିଲା। ବର୍ତ୍ତମାନ ବାଂଲାଦେଶ ସ୍ଥିତିରେ ସୁଧାର ଆସୁଛି ଏବଂ ପିଆଜ ରପ୍ତାନି ଆରମ୍ଭ ହୋଇଛି, ଫଳରେ ପୁଣି ଥରେ ପିଆଜ ମୂଲ୍ୟ ବୃଦ୍ଧି ହେଉଛି।
ଦିଲ୍ଲୀର ଆଜାଦପୁର ପିଆଜ ମଣ୍ଡିର ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ପଡୋଶୀ ଦେଶ ବାଂଲାଦେଶକୁ ପିଆଜ ରପ୍ତାନି ବନ୍ଦ ହେବାପରେ ପିଆଜର ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା। ପିଆଜ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କାକୁ ହ୍ରାସ ପାଇଥିଲା। କିନ୍ତୁ ଏବେ ପୁଣିଥରେ ପିଆଜ ଦର ବୃଦ୍ଧି ଦେଖିବାକୁ ମିଳୁଛି । ଗତ ୧୫ ଦିନ ଧରି ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଥିବା ମୂଲ୍ୟର ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆଉ ୨ ଦିନ ପରେ ଅର୍ଥାତ ଅଗଷ୍ଟ ୨୦ ପରେ ପିଆଜ ଦର ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । କାରଣ ଶ୍ରାବଣ ମାସ ଶେଷ ହେବା ପରେ ବଜାରରେ ପିଆଜ ଅଧିକ ମାତ୍ରାରେ ବିକ୍ରି ହେବ । ଆଗକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ପିଆଜର ଚାହିଦା ପୁଣି ଥରେ ବୃଦ୍ଧି ପାଇବ ।
ବ୍ୟବସାୟୀଙ୍କ କହିବାନୁଯାୟୀ, ପିଆଜ ରପ୍ତାନି ଉପରେ ସରକାର କୌଣସି ପ୍ରକାରର ପ୍ରତିବନ୍ଧକ ଲଗାଉ ନାହାନ୍ତି । ତେଣୁ ଆଗାମି ଦିନରେ ପିଆଜ ମୂଲ୍ୟ ଅଧିକ ରହିବାର ସମ୍ଭାବନା ରହିଛି । ବଜାରରେ ପିଆଜର ଚାହିଦା ପୂର୍ବ ଅପେକ୍ଷା ଅଧିକ ରହିବା କାରଣରୁ ପ୍ରାୟୟ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ଅଭିବୃଦ୍ଧି ଜାରି ରହିବ । ନଭେମ୍ୱର ମାସରେ ନୂଆ ପିଆଜ ବଜାରକୁ ଆସିବା ପରେ ମୂଲ୍ୟ ସାମାନ୍ୟ ନିୟନ୍ତ୍ରଣ ହେବା ସହ ବର୍ଷ ଶେଷ ଆଜକୁ ଦର କମିବା ନେଇ ଆଶା କରାଯାଉଛି ।
