ଫୋକସ ପ୍ଲସ(କେଙ୍ଝର)୨୪/୦୮/୨୦୨୨: ଦଣ୍ଡ ମୁକ୍ତ ଅଞ୍ଚଳ ରେ ଦଣ୍ଡ।ଦେଖନ୍ତୁ କଣ କହୁଛନ୍ତି ଜଣେ ଅଧ୍ୟକ୍ଷ, ମୁ ଟିକେ ପିଇଦେଇଛି। ପୁଣି କଣ କହୁଛନ୍ତି ଦେଖନ୍ତୁ, ହିଷ୍ଟ୍ରି subject ପଢାଇଲାବେଳେ ୬ଟି ଋତୁର ନାମ ପଚାରିଲି, ଛୁଆଟି କହି ନପାରିବାରୁ ଷ୍ଟିଲ ରଡ଼ରେ ବାଡେଇଲି। ଏ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଅଧ୍ୟକ୍ଷ। ଏହି ମହାଶୟ ଜଣକ ପୁର୍ବରୁ ଛାତ୍ରୀ ମାନଙ୍କୁ ପ୍ରେମ ପାଠ ପଢ଼ାଉଥିବା ନେଇ ମଧ୍ୟ ଗତ ୧୨ତାରିଖରେ ଛାତ୍ରୀମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ।
ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରପାଳର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ। ସେ ନିୟମିତ ମଦ୍ୟପାନ କରି ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ କରନ୍ତି । ଏପରିକି ଅଧିକାଶଂ ସମୟରେ ବିଦ୍ୟାଳୟକୁ ଆସନ୍ତିନି । ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ସେ ନବମ ଶ୍ରେଣୀର ହୋଇଥିବାବେଳେ କିପରି ଝିଅଙ୍କୁ ଲାଇନ ମାରୁଥିଲେ ସେନେଇ ଛାତ୍ରୀ ମାନଙ୍କୁ ବୁଝାନ୍ତି । ଏନେଇ ଛାତ୍ରୀମାନେ ଗତ ଅଗଷ୍ଟ ୧୨ତାରିଖ ଦିନ ବିଡିଓଙ୍କ ନିକଟରେ ଅଭିଯୋଗ କରିବାପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖ ପୂର୍ବରୁ ଏହି ଘଟଣାର ତଦନ୍ତ କରି ଫେରି ଯାଇଥିଲେ । ଗତକାଲି ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିଶାଶକ୍ତ ଅବସ୍ଥାରେ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଆଦିବାସୀ ଛାତ୍ର ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । ଫଳରେ ନିଶାରେ ଚୁର ଥିବା ଅଧ୍ୟକ୍ଷ ଜଣକ ଏକ ଲୁହା ପାଇପରେ କୁନି ଛାତ୍ର ଜଣକୁ ପିଟିଥିଲେ । ଛାତ୍ରଟି ପ୍ରବଳ କନ୍ଦାକଟା କରିବାରୁ ଅନ୍ୟ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ନିଜ ନିଜର ଅଭିଭାବକ ମାନଙ୍କୁ ଜଣାଇଥିଲେ । ଏପରିକି ଗତକାଲି ଦିନ ୧୦ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସେ ୬ଷ୍ଠ ଶ୍ରେଣୀରେ ନିଜେ ବସିରହିବା ସହିତ କୌଣସି ଛାତ୍ରଛାତ୍ରୀଙ୍କୁ ବାହାରକୁ ଛାଡି ନଥିଲେ । ଛାତ୍ରଛାତ୍ରୀ ମାନେ ଭୋକ ଉପାସରେ ରହିବା ସହ ଦିନ ଦୁଇଟା ପରେ ଯାଇ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଆଜି କିଛି ଅଭିଭାବକ ବିଦ୍ୟାଳୟକୁ ଯାଇ ଘଟଣାର ସତ୍ୟତା ଜାଣିବା ସହିତ ଅଧ୍ୟକ୍ଷ ଜଣକ ନିଶାଶକ୍ତ ଅବସ୍ଥାରେ ଚାଲିପାରୁ ନଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବିଡିଓ ବିଚିତ୍ର କୁମାର କର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ମାଡ ଖାଇଥିବା ଛାତ୍ରଙ୍କୁ ପଚରା ଉଚୁରା କରିବା ସହିତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରିଥିଲେ । ଶିକ୍ଷକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀ ଅଧିକାରୀଙ୍କ ସମ୍ମୁଖରେ ବଖାଣିଥିଲେ । ଉପଜିଲ୍ଲାପାଳ ଅଧ୍ୟକ୍ଷଙ୍କୁ ପଚାରିବାରେ ସେ ମଦ ପିଇବା ଘଟଣାକୁ ସ୍ୱୀକାର କରିବା ସହିତ ଛାତ୍ର ଜଣକୁ ଏକ ଷ୍ଟିଲ ପାଇପରେ ପିଟିଥିବା ସ୍ୱୀକାର କରିଥିଲେ ।
ଆଦର୍ଶ ବିଦ୍ୟାଳୟ ଭଳି ଏକ ସୁନାମଧନ୍ୟ ସ୍କୁଲ ଗଠନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ରାଜ୍ୟ ସରକାର ବାହାବା ନେଉଥିବାବେଳେ ଏପରି ଜଣେ ନଷ୍ଟ ଚରିତ୍ର ଅଧ୍ୟକ୍ଷଙ୍କୁ ଏଠାରେ ନିଯୁକ୍ତି ଦେଇ ବିଦ୍ୟାଳୟର ପରିବେଶକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିବା ସହିତ ତୁରନ୍ତ ଚାକିରୀରୁ ବରଖାସ୍ତ କରିବାକୁ ଅଭିଭାବକମାନେ ଦାବି କରିଥିଲେ। ଉପଜିଲ୍ଲାପାଳ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବାପରେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ ବୋଲି ଅଭିଭାବକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।
କେଙ୍ଝର ରୁ ଦେବବ୍ରତ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ୍।